ଭୁବନେଶ୍ୱର: ସଂଯୁକ୍ତ ରାଷ୍ଟ୍ରରେ ସମ୍ମାନଜନକ ସ୍ୟାଣ୍ଡ୍ ମାଷ୍ଟର୍ ସମ୍ମାନ ( Sand Master Award)ରେ ସମ୍ମାନିତ ହେବା ପରେ ଓଡ଼ିଶା ଫେରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସେ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ସୁଦର୍ଶନଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି ।
ସଂଯୁକ୍ତ ରାଷ୍ଟ୍ରର ଡୋରସେଟ୍ ଅଞ୍ଚଳର ୱେମାଉଥଠାରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ପଟ୍ଟନାୟକ ପ୍ରଥମ ଭାରତୀୟ ଭାବେ ଏହି ସମ୍ମାନ ପାଇଛନ୍ତି । ସୁଦର୍ଶନ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପଦକ, ସାର୍ଟିଫିକେଟ୍ ଓ ବାଲୁକା କଳାର ଫଟୋଚିତ୍ର ଦେଖାଇଥିଲେ । ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି ତାଙ୍କୁ ଓଡ଼ିଶାର ସମ୍ପତ୍ତି (Asset) ବୋଲି କହିଛନ୍ତି ଏବଂ ଆଗାମୀ ଦିନରେ ଓଡ଼ିଶା ଓ ଦେଶ ପାଇଁ ଆହୁରି ଗୌରବ ଆଣିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ୱର୍ଦ୍ଧିତ କରିଛନ୍ତି ।
ଏହି ସଫଳତା ପାଇଁ ସୁଦର୍ଶନ ପଟ୍ଟନାୟକଙ୍କୁ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।