କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବାଲିସାହିପାଟଣାରେ ଜଣେ ଗର୍ଭବତୀ ମହିଳାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଦୀପକ ଦାସଙ୍କ ପତ୍ନୀ କଳ୍ପନା ପରିଡ଼ା । ତାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି କଳ୍ପନାଙ୍କ ବାପାଙ୍କ ଘର ଲୋକେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ, ଆଳି ଥାନା ନଳପାହି ଗାଁର ଜୟରାମ ପରିଡ଼ା ଓ ଜ୍ୟୋତ୍ସାରାଣୀ ପରିଡ଼ାଙ୍କ ଝିଅ କଳ୍ପନା ପରିଡ଼ା ରାଜନଗର ବ୍ଲକ୍ ବାଲିସାହିପାଟଣାର ଦୀପକ ଦାସଙ୍କୁ ଗତ ବର୍ଷ ବିବାହ କରିଥିଲେ । କିନ୍ତୁ ବାପ ଘରୁ ଅଧିକ ଯୌତୁକ ଆଣିବାକୁ ଶାଶୁ ଘର ଲୋକେ ବାରମ୍ବାର ଚାପ ପ୍ରୟୋଗ କରୁଥିଲେ । ଏ ନେଇ ବାପା ଘର ଲୋକେ ଅନେକ ଥର ଝଗଡ଼ାର ସମାଧାନ ମଧ୍ୟ କରିଥିଲେ । ସେପଟେ କଳ୍ପନା 9 ମାସର ଗର୍ଭବତୀ ହୋଇଥିଲେ । ସେ ଗତ 6 ମାସ ହେବ ତାଙ୍କ ବାପାଙ୍କ ଘରେ ରହୁଥିଲେ । ଗତ ଏକ ମାସ ହେଲା ସେ ଶାଶୁ ଘରକୁ ଆସିଥିଲେ । କିନ୍ତୁ ଗତକାଲି ଭୋର ୪ ଟା ବେଳେ ବାପା ଘର ଲୋକଙ୍କୁ କଳ୍ପନାଙ୍କ ମୃତ୍ୟୁ ଖବର ଦିଆଯାଇଥିଲା । ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଅଭିଯୋଗ କରିଛି ।
ଅପର ପକ୍ଷରେ ଘଟଣା ପରଠାରୁ ଶାଶୁ ଘର ଲୋକେ ଫେରାର ହୋଇଯାଇଛନ୍ତି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥରରେ ପହଁଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ହତ୍ୟା ମାମଲା ରୁଜୁ କରି ତଦନ୍ତ କରାଯାଉଛି ବୋଲି ରାଜନଗର ଥାନା ଆଇଆଇସି ନରେଶ ସାହୁ କହିଛନ୍ତି ।