ଯାଜପୁର: ଅନର କିଲିଂ ମାମଲାରେ ବାପା ମାଆଙ୍କୁ ସଜା ଶୁଣାଇଛନ୍ତି ଯାଜପୁର ପୋକ୍ସୋ ଅଦାଲତ । ଗର୍ଭବତୀ ନାବାଳିକା ଝିଅକୁ ହତ୍ୟା କରିବା ଅଭିଯୋଗରେ ବାପା ମାଆଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ପୋକ୍ସୋ ଅଦାଲତ । ଅଭିଯୁକ୍ତ ବାପା ମା ହେଲେ ନକୁଳ ଜେନା ଓ ସଂଜୁ ଜେନା । ବିଚାରପତି ବିଜୟ ଜେନା ଶନିବାର ଏହି ସଜା ଶୁଣାଇଛନ୍ତି ।
୨୦୧୬ରେ ବିଞ୍ଝାରପୁର ଥାନା ଅଞ୍ଚଳର ଏକ ଦମ୍ପତ୍ତି ଗର୍ଭବତୀ ଥିବା ନିଜର ନାବାଳିକା (୧୬) ଝିଅକୁ ହତ୍ୟା କରିଥିଲେ । ସାକ୍ଷୀ ପ୍ରମାଣ ନଷ୍ଟ କରିବାକୁ ନିଜ ଜନ୍ମ କଲା ଝିଅକୁ ଘର ପଛେ ପଟେ ପେଟ୍ରୋଲ୍ ଢାଳି ଜାଳି ଦେଇଥିଲେ । ଝିଅଟି ବଞ୍ଚାଓ ବଞ୍ଚାଓ ବୋଲି ଚିତ୍କାର କରିଥିଲା । ଝିଅର ଚିତ୍କାରକୁ ପଡ଼ୋଶୀ ମାତାଜୀ ଜେନା ଶୁଣିଥିଲେ । ଏହା ପରେ ବାପା ମାଆ ଶବର ପାଉଁଶ କୁ ଖରସ୍ରୋତା ନଦୀରେ ଭସାଇ ଦେଇଥିଲେ।
ପଡ଼ୋଶୀ ମାତାଜୀ ଜେନା ଏ ନେଇ ବିଞ୍ଝାରୁପର ଥାନାରେ ଅଭିଯୋଗ କରିଥିଲେ । ଏଭଳି ହୃଦୟ ବିଦାରକ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା । ପୋଲିସ ବାପା ମାଆଙ୍କୁ ଗିରଫ କରିଥିଲା । ତେବେ ଆଜି ଏ ନେଇ ପୋକ୍ସୋ ଅଦାଲତର ବିଚାରପତି ବିଜୟ ଜେନା ଶୁଣାଣି କରି ସଜା ଶୁଣାଇଛନ୍ତି । ୩ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଆଜୀବନ କାରା ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ନାୟକ ମାମଲାର ପକ୍ଷ ରଖିଥିଲେ । ସେହିପରି ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ପ୍ରବୀର ରାୟ ଯୁକ୍ତି ଉପସ୍ଥାପନ କରିଥିଲେ ।