ସମ୍ବଲପୁର: ଚଳିତ ବର୍ଷ ପ୍ରଥମ ଥର ପାଇଁ ହୀରାକୁଦ ଜଳ ଭଣ୍ଡାର ସର୍ବୋଚ୍ଚ ଜଳସ୍ତର ଛୁଇଁଛି । ଶନିବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ୬୩୦ ଫୁଟରେ ପହଞ୍ଚିଛି । କହିବାକୁ ଗଲେ ଜଳ ଭଣ୍ଡାରର ସମ୍ପୂର୍ଣ୍ଣରୂପେ ପୂରଣ ହୋଇ ସାରିଛି । ତେବେ ଏବେ ପର୍ଯ୍ୟନ୍ତ କୌଣସି ଚିନ୍ତାଜନକ ସ୍ଥିତି ନ ଥିବା ଡ୍ୟାମର ମୁଖ୍ୟ ଯନ୍ତ୍ରୀ କହିଛନ୍ତି ।
ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ । ଆଜି ସକାଳ ସୁଦ୍ଧା ଡ୍ୟାମରେ ୬୩୦ ଫୁଟ ରହିଛି । ବର୍ତ୍ତମାନ ଜଳ ଭଣ୍ଡାରକୁ ସେକେଣ୍ଡକୁ ୫୬ ହଜାର ୩୯୨ ଘନଫୁଟ୍ ଜଳ ପ୍ରବେଶ କରୁଥିବାବେଳେ ୩୭ ହଜାର ୩୩୪ ଘନଫୁଟ ଜଳ ନିଷ୍କାସିତ ହେଉଛି । ଏହି ଜଳ ବିଭିନ୍ନ କେନାଲ, ଶିଳ୍ପ ଏବଂ ଚାଷ ଦେଇ ନିଷ୍କାସିତ ହେଉଛି ।
ତେବେ ଡ୍ୟାମର ମୁଖ୍ୟ ଯନ୍ତ୍ରୀ କହିଛନ୍ତି ଯେ ଉପର ମୁଣ୍ଡରେ ଜଳ ପ୍ରବେଶ ପରିମାଣ କମୁଥିବାରୁ ଓ ବର୍ଷାର ସମ୍ଭାବନା ନ ଥିବାରୁ ଏବେ ଯାଏଁ କୌଣସି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇ ନାହିଁ । ଯଦି ଜଳ ପ୍ରବେଶ ପରିମାଣ ବଢ଼େ ତା ହେଲେ ପୁଣି ଗେଟ ଖୋଲା ଯାଇପାରେ ବୋଲି ମୁଖ୍ୟ ଯନ୍ତ୍ରୀ କହିଛନ୍ତି ।
ସେହିପରି ଡ୍ୟାମର ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ପରିମାଣ କମିଛି । ଉପରମୁଣ୍ଡରେ ବର୍ଷା ହେଲେ ପୁଣି ଗେଟ୍ ଖୋଲା ଯାଇପାରେ। ତେବେ ଅଧିକ ବର୍ଷା ହେବନି ବୋଲି ଆଶା ରଖିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।