ସୁରଟ: ରେଳ ଦୁର୍ଘଟଣା କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଖବର ଏବେ ବାରମ୍ବାର ଆସୁଛି । ପୁଣି ଏକ ବଡ଼ ରେଳ ଦୁର୍ଘଟଣା ପାଇଁ ରଚା ଯାଇଥିବା ଷଡ଼ଯନ୍ତ୍ର ଭଣ୍ଡୁର ହୋଇଯାଇଛି । ରେଳ ବିଭାଗର ତତ୍ପରତା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଗୁଜୁରାଟ ସୁରଟରେ ରେଳ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ଜଣା ପଡ଼ିଛି ।
ପଶ୍ଚିମ ରେଳ ବିଭାଗ ବଦୋଦରା ଡିଭିଜନରୁ ଜଣା ପଡ଼ିଥିବା ତଥ୍ୟ ଅନୁସାରେ, ସୁରଟର କିମ ଷ୍ଟେସନ ନିକଟରେ ରେଳ ଧାରଣାରେ ଷଡ଼ଯନ୍ତ୍ର କରାଯାଇଥିଲା । ରେଳ ଧାରଣାରୁ ଫିସପ୍ଲେଟ୍ ଏବଂ ଚାବି କାଢ଼ି ନିଆଯାଇଥିଲା । ରେଳ ବିଭାଗ ଏ ବାବଦରେ ଜାଣିବା ପରେ ସେହିବାଟେ ଦେଇ ଯାଉଥିବା ଉତ୍ତର ପ୍ରଦେଶର ଏକ ଯାତ୍ରୀବାହୀ ଟ୍ରେନକୁ କିଛି ସମୟ ପାଇଁ ଅଟକା ଯାଇଥିଲା । ଏହା ପରେ ତୁରନ୍ତ ମରାମତି କରାଯାଇଥିଲା, ଯଦ୍ୱାରା ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ପରେ ସେହି ଟ୍ରାକ୍ ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା । ଦୁର୍ବୃତ୍ତକୁ ଧରିବାକୁ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ତେବେ ରେଳ ଦୁର୍ଘଟଣା ପାଇଁ କରାଯାଉଥିବା ଷଡ଼ଯନ୍ତ୍ରର ଏହା ପ୍ରଥମ ଘଟଣା ନୁହେଁ । ଗତ କିଛି ଦିନ ତଳେ ଉତ୍ତର ପ୍ରଦେଶ କାନପୁରରରେ ରେଳ ଧାରଣା ଉପରେ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା । ସେହି ଟ୍ରାକରେ ଆସୁଥିବା କାଳିନ୍ଦି ଏକ୍ସପ୍ରେସର ଲୋକୋ ପାଇଲଟ ଟ୍ରେନଟି ସିଲିଣ୍ଡରକୁ ଧକ୍କା ପୂର୍ବରୁ ବ୍ରେକ୍ ଲାଗାଇ ଦେଇଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା । ସେହିପରି ରାଜସ୍ତାନର ଅଜ୍ମେର୍ରେ ମଧ୍ୟ ୭୦ କିଲୋ ଓଜନର ଦୁଇଟି ପଥର ଖଣ୍ଡ ରଖାଯାଇଥିଲା । ଫଳରେ ଏକ ମାଲବାହୀ ଟ୍ରେନ ତାକୁ ଧକ୍କା ଦେଇ ଆଗକୁ ଚାଲିଯାଇଥିଲା । ମାତ୍ର ଏଥିରେ ଦୁର୍ଘଟଣା ହୋଇ ନ ଥିଲା ।