ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୩ ଦିନିଆ ଆମେରିକା ଗସ୍ତରେ ଯିବେ । ମୋଦୀ ସେପ୍ଟେମ୍ବର୨୧ରୁ ୨୩ତାରିଖ ପର୍ଯ୍ୟନ୍ତ ସେଠାରେ ରହଣୀ କାର୍ଯ୍ୟକ୍ରମ ରହିଛି । ୱିଲମିଂଟନରେ ଆୟୋଜିତ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ମୋଦୀ ତାଙ୍କର ସାମାଜିକ ଗଣମାଧ୍ୟମ ଏକ୍ସରେ ଏହି ସୂଚନା ଦେଇଛନ୍ତି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୱିଲମିଂଟନରେ କ୍ୱାଡ୍ ସମ୍ମିଳନୀର ଆୟୋଜନ କରିଛନ୍ତି । ଚଳିତ ବର୍ଷ ଭାରତ ଏହି ଶିଖର ସମ୍ମିଳନୀର ଆୟୋଜନ କରିବାର ଥିଲା । କିନ୍ତୁ ଆମେରିକାର ଅନୁରୋଧ କ୍ରମେ ଭାରତ ୨୦୨୫ରେ ଏହି ଶିଖର ସମ୍ମିଳନୀ ଆୟୋଜନ କରିବ । ଏହି ସମ୍ମିଳନୀରେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନର ପ୍ରତିନିଧି ଯୋଗ ଦେବେ । ସେଥିପାଇଁ ପ୍ରଧାନମନ୍ତ୍ରୀ ତିନି ଦିନିଆ ଯାତ୍ରା ଆରମ୍ଭ କରିବେ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେସ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ମଧ୍ୟ ଏଥିରେ ଯୋଗ ଦେବେ ।
ସେହିପରି ଏକ୍ସରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ସମ୍ମିଳନୀରେ ହେବାକୁ ଥିବା ବିଚାର ବିମର୍ଶକୁ ଅପେକ୍ଷା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା ହେବା ବୋଲି କହିଛନ୍ତି ମୋଦୀ ।
ଏହା ବ୍ୟତୀତ ମୋଦୀ ନ୍ୟୁୟର୍କ ଜାତିସଂଘ ସାଧାରଣ ସଭାରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ସେପ୍ଟେମ୍ବର ୨୨ରେ ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟର ଏକ ସମାବେଶକୁ ସମ୍ବୋଧିତ କରିବେ । ସେହିପରି ସେଠାରେ ଭାରତୀୟଙ୍କୁ ମଧ୍ୟ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।