ନୂଆଦିଲ୍ଲୀ: ତିରୁପତି ବାଲାଜୀ ମନ୍ଦିର ଲଡ଼ୁରେ ପଶୁ ଚର୍ବି ଏବଂ ମାଛ ତେଲ ମିଶ୍ରଣ ଘଟଣାର କେନ୍ଦ୍ର ସରକାର ରିପୋର୍ଟ ମାଗିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଖାଦ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ ଆଣିଛିନ୍ତି, ତାହା ଗୁରୁତର ପ୍ରସଙ୍ଗ ଅଟେ । ଏହା ଉପରେ ବିସ୍ତୃତ ତଦନ୍ତ ଆବଶ୍ୟକ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ଖାଦ୍ୟ ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ତିରୁପତି ମନ୍ଦିର ମୁଖ୍ୟ ପୂଜକ ଉଦବେଗ ପ୍ରକାଶ କରିଛନ୍ତି ।
ତିରୁପତି ବାଲାଜୀ ମନ୍ଦିର ଲଡ଼ୁରେ ପଶୁ ଚର୍ବି ଏବଂ ମାଛ ତେଲ ମିଶ୍ରଣ ଘଟଣାରେ ମନ୍ଦିର ମୁଖ୍ୟ ପୂଜକ ରଙ୍ଗରାଜନ କହିଛନ୍ତି ଏହା କେବଳ ଏକ ବିବାଦ ନୁହେଁ ବରଂ କୋଟି କୋଟି ଲୋକଙ୍କ ଭାବାବେଗକୁ ଏହା ଆଘାତ ପହଁଚାଇଛି । ସେ କହିଛନ୍ତି ଯେ ସନାତନ ଧର୍ମ ଉପରେ ଆସ୍ଥା ରଖୁଥିବା ଏବଂ ଭଗବାନଙ୍କ ପୂଜା କରୁଥିବା ଲୋକଙ୍କୁ ଆଘାତ ଦେଇଛି ।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିଥିଲେ ଯେ ୱାଇଏସଆର କଂଗ୍ରେସ ସରକାର ବେଳେ ତିରୁପତି ବାଲାଜୀ ମନ୍ଦିରରେ ନିର୍ମିତ ହେଉଥିବା ଲଡ଼ୁ ପ୍ରସାଦରେ ନିମ୍ନ ମାନର ତେଲ ମିଶ୍ରଣ ହେଉଥିଲା । ଯାହା ଏବେବି ଜାରି ରହିଛି । ଏହା ପରେ ଏନଡିଡିବି କାଫ୍ ନାମକ ଘରୋଇ ଲ୍ୟାବ ଲଡୁର ମାନ ପରୀକ୍ଷା କରିଥିଲା । ପ୍ରଭୁ ବାଲାଜୀଙ୍କ ଲଡୁରେ ଗୋରୁ ଚର୍ବି, ଘୁଷୁରି ଚର୍ବି ଏବଂ ମାଛ ତେଳ ଭଳି ଅପ ମିଶ୍ରଣ ହେଉଥିବା ପରୀକ୍ଷା ରିପୋର୍ଟରେ ଦର୍ଶା ଯାଇଥିଲା ।