ତିରୁପତି: ଆନ୍ଧ୍ର ପ୍ରଦେଶ ସ୍ଥିତ ବିଶ୍ୱ ପ୍ରସିଦ୍ଧ ତିତୁପତି ମନ୍ଦିରର ଲଡୁ ପ୍ରସାଦର ପବିତ୍ରତା ଓ ଶୁଦ୍ଧତାକୁ ନେଇ ବିବାଦ ବଢିବାରେ ଲାଗିଛି । ତେଲୁଗ ଦେଶମ ପାର୍ଟି(ଟିଡିପି) ଦାବି କରିଛି ଯେ, ପୂର୍ବର ଜଗନ ସରକାର ବିଶ୍ୱ ପ୍ରସିଦ୍ଧ ତିରୁପତି ଲଡୁ ପ୍ରସ୍ତୁତିରେ ନିମ୍ନମାନର ସାମଗ୍ରୀ ଓ ପଶୁଙ୍କ ଚର୍ବିର ବ୍ୟବହାର କରିଛନ୍ତି ।
ମାମଲାକୁ ନେଇ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ଚନ୍ଦ୍ରବାବୁ ନାଇଡୁ ସରକାର ତିରୁମାଲା ତିରୁପତି ଦେବସ୍ଥାନମ(ଟିଟିଡି)ର କାର୍ଯ୍ୟକାରୀ ସଭାପତିଙ୍କୁ ତିରୁମାଲା ମନ୍ଦିରର ଲଡୁ ପ୍ରସାଦକୁ ନେଇ ଉଠିଥିବା ବିବାଦ ଉପରେ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଟିଟିଡିର କାର୍ଯ୍ୟକାରୀ ସଭାପତି ଆଜି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟି ପାରନ୍ତି । ଏହି ସାକ୍ଷାତ ପରେ ସେ ମୁଖ୍ୟମନ୍ତ୍ରୀ ନାଇଡୁଙ୍କୁ ରିପୋର୍ଟ ଦେବେ । ସରକାର ବୈଦିକ ଓ ଧାର୍ମିକ ପରିଷଦର ନେତାଙ୍କ ପରାମର୍ଶ ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ସରକାର ଧାର୍ମିକ ପରିଷଦର ନେତାଙ୍କ ଦ୍ୱାରା ଦିଆଯିବାକୁ ଥିବା ପ୍ରସ୍ତାବ ଓ ରିପୋର୍ଟ ଆଧାରରେ ମନ୍ଦିରର ଶୁଦ୍ଧିକରଣ ଏବଂ ପ୍ରତିଷ୍ଠା ଅନୁଷ୍ଠାନ କରିବାକୁ ନିର୍ଣ୍ଣୟ ନେଇ ପାରନ୍ତି । ଆନ୍ଧ୍ର ପ୍ରଦେଶ ସରକାର ପରିଷଦର ସୁପାରିଶ କ୍ରମେ ପରବର୍ତ୍ତୀ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି ।
ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି । ମୁଁ ଭାରତର ପ୍ରଧାନ ବିଚାରପତିଙ୍କୁ ମଧ୍ୟ ଚିଠି ଲେଖିବି । ମୁଁ ଜଣାଇବାକୁ ଚାହୁଁଛି ଯେ, କେମିତି ଚନ୍ଦ୍ରବାବୁ ନାଇଡୁ ଘଟଣାକୁ ଅତି ରଞ୍ଜିତ କରି ଦର୍ଶାଉଛନ୍ତି । ନାଇଡୁ ଏମିତି କରୁଥିବାରୁ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଜଗନମୋହନ କହିଛନ୍ତି ।