ନୂଆଦିଲ୍ଲୀ: ଆଜି ଜାତୀୟ ରାଜଧାନୀ ନୂଆଦିଲ୍ଲୀକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶୀ ମାର୍ଲେନା କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀରୁ ହେବେ ମୁଖ୍ୟମନ୍ତ୍ରୀ । ଶନିବାର ସନ୍ଧ୍ୟାରେ ରାଜଭବନରେ ଉପ ରାଜ୍ୟପାଳ ଭିକେ ସକ୍ସେନା ଆତିଶୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହା ସହିତ ତାଙ୍କ ମନ୍ତ୍ରୀମଣ୍ଡଳର ୫ ନୂଆ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବେ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଇସ୍ତଫା ଦେବା ପରେ ଆପ୍ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସ୍ଥିର କରିଛି । ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଦ୍ୟ ଅନୁମତି ପ୍ରଦାନ କରିସାରିଛନ୍ତି । ସେଥିପାଇଁ ଆଜି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଆତିଶୀଙ୍କ ସହ ଗୋପାଳ ରୟ, ସୌରଭ ଭରଦ୍ୱାଜ, କୈଳାଶ ଗେହଲଟ, ଇମ୍ରାନ ହୁସେନ ଓ ମୁକେଶ ଅହଲାବତ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀ ଦ୍ୱାରା ସରକାର ଗଠନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲା। ଏହାକୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଥିଲେ।
ଅବକାରୀ ନୀତି ଘୋଟାଲାରେ ଅରବିନ୍ଦ କେଜ୍ରିଓ୍ୱାଲ ସୁପ୍ରିମକୋର୍ଟରୁ ଜାମିନ ପାଇ ସେପ୍ଟେମ୍ବର ୧୩ରେ ତିହାର ଜେଲରୁ ମୁକୁଳିଥିଲେ । ଏହା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ମଙ୍ଗଳବାର ଆପ୍ ବିଧାୟକ ଦଳ ବୈଠକରେ ଆତିଶୀ ମାର୍ଲେନାଙ୍କ ନାମରେ ମୋହର ଲାଗିଥିଲା ।