ମୁମ୍ବାଇ: ହିମାଚଳ ପ୍ରଦେଶ ପରେ ମୁମ୍ବାଇରେ ମସଜିଦକୁ ନେଇ ବିବାଦ ସୃଷ୍ଟି ହୋଇଛି । ମୁମ୍ବାଇ ଧାରାବୀରେ ଥିବା ଏକ ମସଜିଦର ବେଆଇନ ଦଖଲକୁ ଉଚ୍ଛେଦକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମୁସଲମାନ ସଂଗଠନ । ଉଚ୍ଛେଦ ପାଇଁ ଯାଇଥିବା ମୁମ୍ବାଇ ମହାନଗର ନିଗମ ଟିମକୁ ବିରୋଧ କରାଯାଇଛି । ବିକ୍ଷୋଭକାରୀମାନେ ବିଏମସିର ଗାଡ଼ି ଭାଙ୍ଗିଥିବା ଜଣାପଡ଼ିଛି ।
ମୁମ୍ବାଇ ଧାରାବୀରେ ଥିବା ଏକ ମସଜିଦରେ ବେଆଇନ ଦଖଲକୁ ଶନିବାର ବିଏମସିର ଟିମ ପହଁଚିଥିଲା । ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ । ଉଚ୍ଛେଦକୁ ବିରୋଧ କରି ହଜାର ହଜାର ଲୋକ ରାଜରାସ୍ତାରେ ଧାରଣାରେ ବସିଥିଲେ । ବିଏମସି ଟିମର ଏକ ଗାଡ଼ିକୁ ଆନ୍ଦୋଳନକାରୀ ଭାଙ୍ଗି ଦେଇଥିବା ମଧ୍ୟ ଜଣାପଡ଼ିଛି । ଏହା ସହିତ ଥାନା ମଧ୍ୟ ଘେରାଉ କରାଯାଇଛି । ବିବାଦ ପରେ ଥାନାରେ ମୁସଲମାନ ସଙ୍ଗଠନ ଏବଂ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଛି ।
ଧାରାବୀରେ ଥିବା ମସଜିଦ ୬୦-୬୫ ବର୍ଷର ପୁରୁଣା । ଧିରେ ଧିରେ ଜନସଂଖ୍ୟା ବଢ଼ିବାରୁ ମସଜିଦ ବାହାରେ ରାସ୍ତା ଉପରେ ଲୋକେ ନମାଜ ପାଠ କରୁଥିଲେ । ମାତ୍ର ଏହାକୁ ପ୍ରଶାସନ ପକ୍ଷରୁ ରୋକା ଯାଇଥିଲା । ବିବାଦ ହେବା ପରେ ମସଜିଦର ଉଚ୍ଚତାକୁ ଧିରେ ଧିରେ ବୃଦ୍ଧି କରାଯାଇଥିଲା । ଏହା ବେଆଇନ ଭାବରେ ନିର୍ମାଣ କରାଯାଇଥିବା ଜଣା ପଡ଼ିବା ପରେ ବିଏମସି ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାତ୍ର ଏହାକୁ ବିରୋଧ କରାଯାଇଛି । ଉତ୍ତେଜନା ପରିସ୍ଥିତିକୁ ଦେଖି ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବଢ଼ାଇ ଦିଆଯାଇଛି । ଘଟଣା ସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।