ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ବଡ଼ଗାମରେ ଏକ ସେନା ଗାଡ଼ି ଦୁର୍ଘଟଣା ଗସ୍ତ ହୋଇଛି । ସେନାର ଏକ ବସ୍ ଭାରସାମ୍ୟ ହରାଇ ଘାଟିକୁ ଓଲଟି ପଡ଼ିଛି । ଫଳରେ ୩ ଜଣ ବିଏସଏଫ୍ ଯବାନ ସହିଦ ହୋଇଥିବାବେଳେ ୩୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେନା ବସଟି ନିର୍ବାଚନ ଡ୍ୟୁଟି ପାଇଁ ଯାଉଥିବାବେଳେ ଦୁର୍ଘଟଣାର ଶୀକାର ହୋଇଥିବା ଜଣାପଡ଼ିଛି ।
ଗତକାଲି ସେନାର ଏକ ବସରେ ୩୬ ଜଣ ବିଏଏସଏଫ ଜବାନ ନିର୍ବାଚନ ଡ୍ୟୁଟି ପାଇଁ ଯାଉଥିଲେ । ଏହି ସମୟରେ ବଡ଼ଗାମ ଜିଲ୍ଲାର ୱାଟରହାଲ ନିକଟରେ ଏକ ଘାଟିରେ ଭାରସାମ୍ୟ ହରାଇ ଖସିପଡ଼ିଥିଲା । ସୀମା ସୁରକ୍ଷା ବଳର ୩ ଜଣ ଯବାନ ଘଟଣାସ୍ଥଳରେ ହିଁ ସହିଦ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପ୍ରାୟ ୩୦ ଜଣ ଯବାନ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି । ବସଟି ପ୍ରାୟ ୪୦ ଫୁଟ ତଳକୁ ଖସି ପଡ଼ିଥିବା ପୁଲିସ କହିଛି।
ଜମ୍ମୁ କାଶ୍ମୀରରେ ଚାଲିଥିବା ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଏସ୍ଏଫର କର୍ମଚାରୀମାନେ ବସରେ ଯାତ୍ରା କରୁଥିଲେ । ଆସନ୍ତା ୨୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।