ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ କଙ୍ଗାରୁକୋର୍ଟ ଦେଖିବାକୁ ମିଳିଛି । ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ଗଛରେ ବାନ୍ଧି ମାଡ଼ ମରା ଯାଇଥିବା ହୋଇଛି ଅଭିଯୋଗ । ଏ ନେଇ ସିଂଲା ଥାନାରେ ଅଭିଯୋଗ କରାଯାଇଛି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମାତ୍ର ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି ।
ସିଂଲା ଥାନା ଅନ୍ତର୍ଗତ ମହାପଦା ଗାଁର ଅଙ୍ଗନୱାଡି କର୍ମୀ ଉର୍ମିଳା ସାମଲ ଛୁଆଙ୍କୁ ନିୟମିତ ଅଣ୍ଡା ଦେଉନଥିବା ଅଭିଯୋଗ ହୋଇଥିଲା । ଗତ ୧୯ ତାରିଖ, ଗୁରୁବାର ଦିନ ଗ୍ରାମର କିଛି ମହିଳା ଏକଜୁଟ ହୋଇ ଅଙ୍ଗନବାଡ଼ି କେନ୍ଦ୍ରରେ ପଶି ଉର୍ମିଳା ସାମଲଙ୍କୁ ଗାଳି ଗୁଲଜ କରିଥିଲେ । ଉର୍ମିଳା ପ୍ରତିବାଦ କିଛି କହିବାରୁ ଉତ୍ତ୍ୟକ୍ତ ମହିଳାମାନେ ତାଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ । ତା’ପରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଉର୍ମିଳା ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ କେହି ଅଟକାଇ ନ ଥିଲେ । ବରଂ ଆଉ କିଛି ଘଟଣାର ଭିଡ଼ିଓ ଉତ୍ତୋଳନ କରି ମଜା ନେଇଥିଲେ ।
ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ ଘଟଣା ବାବଦରେ ଖବର ପାଇ ଗାଁରେ ପହଁଚିଥିଲେ । ମହିଳାଙ୍କୁ ବୁଝାସୁଝା କରିବା ପରେ ସେମାନେ ଉର୍ମିଳାଙ୍କୁ ଛାଡ଼ିଥିଲେ । ଏସଡିପିଓ ଉର୍ମିଳାଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ । ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏ ଯାଏ କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।