ଭୁୁବନେଶ୍ୱର: ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ୟାତନା ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ବିଜେଡି ଓ କଂଗ୍ରେସ ଏହି ମାମଲାକୁ ନେଇ ବିଜେପି ସରକାରକୁ ଘେରିଛନ୍ତି । ତେବେ ଏହି ପ୍ରସଙ୍ଗରେ ବିଜେଡିକୁ ତେରଛା ବାଣ ମାରିଛନ୍ତି ପୂର୍ବତନ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଯାହାର ଦେଖା ମିଳୂ ନ ଥିଲା ସେ ଏବେ ନିନ୍ଦୁକ ପାଲଟିଛି ବୋଲି କହିଛନ୍ତି ।
ସୌମ୍ୟରଞ୍ଜନ କହିଛନ୍ତି, ଗୋଟିଏ ଘଟଣାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି କହିବା ଠିକ ହେବ ନାହିଁ। ଏହି ସରକାରକୁ ମାତ୍ର ୩ ମାସ ପୂରିଛି । ସରକାରକୁ ଅଧିକ ସମୟ ଦେବାକୁ ପଡ଼ିବ। ତରବର ଭାବେ ଏବେ କିଛି କହିବା ସମୀଚିନ ହେବ ନାହିଁ । ୨୫ ବର୍ଷର ସରକାରର ଅବସାନ ପରେ ୧୦୦ଦିନର ସରକାର ସହିତ ତୁଳନା କରିବା ଠିକ ନୁହେଁ।
ସୌମ୍ୟ କହିଛନ୍ତି, ଯାହାକୁ ଆଗରୁ ଖୋଜିଲେ ମିଳୁ ନ ଥିଲେ, ସେମାନେ ଗାତରୁ ବାହାରି ସମ୍ବାଦିକ ସମ୍ମିଳନୀ କରୁଛନ୍ତି ଓ ସରକାରଙ୍କୁ ନିନ୍ଦା କରୁଛନ୍ତି। ସେମାନେ ବୋଧେ ହୁଏ ନିଜ ଅମଳ କଥା ଭୁଲି ଯାଉଛନ୍ତି। ମୁଁ ଭାବୁଛି ସରକାରଙ୍କୁ ଟିକିଏ ଅଧିକ ସମୟ ଦେବା ଦରକାର।
ସରକାରଙ୍କୁ ୨୦୦ ଦିନ ସମୟ ଦେବା ଦରକାର। ଯଦି ଡିସେମ୍ବର ମାସ ସୁଦ୍ଧା ସରକାରଙ୍କର କୌଣସି ପ୍ରଭାବ ଦେଖିବାକୁ ମିଳିବ ନାହିଁ ତାହା ହେଲେ ଆମେ ଟିପ୍ପଣୀ କରି ପାରିବା। ତେବେ ସୌମ୍ୟଙ୍କ ସମାଲୋଚନା ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ଗତକାଲି ଭରତପୁର ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ। ସେପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏମ୍ସ ଯାଇ ପୀଡିତ ମେଜରଙ୍କ ବାନ୍ଧବୀଙ୍କୁ ଭେଟିବା ସହ ଯିଏ ବି ଦୋଷୀ ôଥାଆନ୍ତୁ ନା କାହିଁକି କାହାରିକୁ ଛଡା ଯିବ ନାହିଁ ବୋଲି କହିଛନ୍ତି । ଏହି ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏ ସସପେଣ୍ଡ ହୋଇଥିବା ୫ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଗିରଫ ହୋଇ ନ ଥିବାରୁ ପୋଲିସ ବିଭାଗ ପ୍ରତି ଅଙ୍ଗୁଳି ଉଠିଛି ।