କେନ୍ଦୁଝର : ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ ଆସିଛନ୍ତି। ସକାଳ ରାଇସୁଆଁ ଏୟାର ଷ୍ଟ୍ରିପରେ ପହଂଚିବା ପରେ ଏକ ବିଶାଳ ବାଇକ ରାଲିରେ ଆସି ପ୍ରଥମେ ଲାଇଫ ସେଭର ଗ୍ରୁପ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ। ପରେ ମଧ୍ୟାହ୍ନରେ କରଞ୍ଜିଆପଡ଼ାରେ ଫୁଟବଲ୍ ମ୍ୟାଚ୍ ଉଦଯାପନୀ ଉତ୍ସବରେ ଯୋଗ ଦେଇ ଖେଳାଳିଙ୍କ ସହ ଭେଟିବା ସହ ନିଜେ ଫୁଟବଲ ଖେଳିଥିଲେ। ପରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖିବା ସହ ସେଠାରେ ପ୍ରତିଯୋଗିତା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନିଜ ଗାଁ ରାଇକଳାକୁ ଆସିଥିଲେ। ବାଟରେ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ବନ୍ଦାପନା କରିଥିଲେ। ଗାଁ ଦାଣ୍ଡରେ ମହିଳା ମାନେ ବେଶ ଉତ୍ସାହର ସହ ଝୋଟି କଳସ ବସେଇ ସ୍ୱାଗତ କରିଛନ୍ତି। ଗାଁକୁ ଦ୍ୱିତୀୟ ଥର ଆସିଥିବାରୁ ଗାଁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଖୁସି ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ସମସ୍ୟା ସମାଧାନ ହୋଇଥିବା ବେଳେ ଆଗକୁ ଅନ୍ୟ ସମସ୍ୟା ମଧ୍ୟ ସମାଧାନ ହେବ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ।