ଭୁୁବନେଶ୍ୱର: ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅମାନବୀୟ ନିର୍ୟାତନା ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ମୁଖ୍ୟ ବିରୋଧୀ ବିଜେଡି ବିଚାର ବିଭାଗୀୟ ତଦନ୍ତ ଦାବି କରିଛି । ଏହି ସଙ୍ଗୀନ ଘଟଣାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ) ଆକ୍ସନ ମୋଡକୁ ଆସି ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ। ଏଥିସହ ମାମଲାର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚକୁ ରିପୋର୍ଟ ମାଗିଥିଲେ। ଏହି ମାମଲାରେ ହୋଇଥିବା ତଦନ୍ତ ରିପୋର୍ଟ ଆଜି ଜାତୀୟ ମହିଳା କମିଶନଙ୍କୁ ହସ୍ତାନ୍ତର କରିଛି କ୍ରାଇମବ୍ରାଞ୍ଚ । ତେବେ ରିପୋର୍ଟରେ କ’ଣ ଉଲ୍ଲେଖ ଅଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି।
ଅନ୍ୟପଟେ କ୍ରାଇମବ୍ରାଞ୍ଚ ଟିମ୍ ଆର୍ମି ମେଜର୍ ଗୁରୁବଂଶଙ୍କୁ ବୟାନ ରେକର୍ଡ କରିଥିବା ବେଳେ ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଘନ ଘନ ଜେରା କରିଛି। ଅପରପକ୍ଷେ, ଗତ ୧୫ ତାରିଖ ରାତିରେ ବିଚ୍ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିଥିବା ୭ ରୋଡ଼ ରୋମିଓଙ୍କୁ ଚନ୍ଦକା ପୋଲିସ ଉଠାଇ ନେଇଥିବା ବେଳେ ଆଜି ସିନ୍ ରିକ୍ରିଏସନ୍ କରିଛି। କେଉଁ ଭଳି ପରିସ୍ଥିତିରେ ସେ ଦିନ ରାତିରେ ଗଣ୍ଡଗୋଳ ଘଟିଲା ସବୁ ଦିଗରେ କ୍ରାଇମବ୍ରାଞ୍ଚ ଟିମ୍ ସେମାନଙ୍କୁ ଜେରା କରିଛି। ନିରପେକ୍ଷ ତଦନ୍ତ କରାଯାଉଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।
ଉଲ୍ଲେଖନୀୟ ଭରତପୁର ଥାନାରେ ସେପ୍ଟେମ୍ବର ୧୫ ତାରିଖ ରାତିରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହ ପୋଲିସର ଅମାନବୀୟ ଅତ୍ୟାଚାର ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେପ୍ଟେମ୍ବର ୧୭ତାରିଖରେ ଜାତୀୟ ମହିଳା କମିଶନ ନିଜ ଆଡ଼ୁ ମାମଲା ରୁଜୁ କରି ରାଜ୍ୟ ପୋଲିସ ଡିଜିଙ୍କୁ ଚିଠି ଲେଖିଥିଲେ । ଏଥିସହ ୨୦ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସମ୍ପୃକ୍ତ ପୋଲିସ ଅଫିସରମାନଙ୍କ ବିରୁଦ୍ଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ ଆଶାବ୍ୟକ୍ତ କରିଥିଲେ। ଏହାପରେ ଆଜି ଏହି ମାମଲାର ରିପୋର୍ଟ କ୍ରାଇମବ୍ରାଞ୍ଚ ଏନସିଡବ୍ଲ୍ୟୁଙ୍କୁ ହସ୍ତାନ୍ତର କରିଛି ।
ଏହି ଘଟଣାରେ ମାମଲା ବିଗୁଡୁଥିବା ଦେଖି ଭରତପୁର ଥାନା ଆଇଆଇସିଙ୍କ ସମେତ ମୋଟ ୫ଜଣ ପୋଲିସ କର୍ମଚାରୀଙ୍କୁ ରାଜ୍ୟ ପୁଲିସ ଡିଜି ତତ୍କାଳ ପ୍ରଭାବରୁ ନିଲମ୍ବନ କରିଥିଲେ । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାକୁ ଏନସିଡବ୍ଲ୍ୟୁ ଗମ୍ଭୀରତାର ସହ ନେଇଥିବା ବେଳେ ଭାରତୀୟ ସେନା ପକ୍ଷରୁ ମଧ୍ୟ ତୀବ୍ର ଆପତ୍ତି ଉଠା ଯାଇଥିଲା। ଏପରିକି ଅବସରପ୍ରାପ୍ତ ସେନା କର୍ମଚାରୀ ପୋଲିସ କମିଶନରେଟ୍ କାର୍ଯ୍ୟାଳୟ ବାହାରେ ଆନ୍ଦୋଳନ କରିଥିଲେ । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଓଡିଶା ହାଇକୋର୍ଟଙ୍କ ତତ୍ୱାବଧନାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି ।