ଭୁବନେଶ୍ୱର: ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ମିଳିଲା ସହାୟତା । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨ ମୃତକଙ୍କ ପତ୍ନୀଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର ସହ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଗତ ୨୨ ତାରିଖରେ କଟକର ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ହାଇୱା ଧକ୍କା ଦେବାରୁ ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ହୋମଗାର୍ଡ ଜଗବନ୍ଧୁ ମାହାଲି ଏବଂ ଓ.ଏ.ପି.ଏଫ ଯବାନ ଲୋକନାଥ ଶବର। ତେବେ ଦୁଃଖଦ ପରିସ୍ଥିତିରେ ପରିବାରକୁ ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ସହାୟତା ରାଶୀ ଘୋଷଣା କରିଥିଲେ।
ଆଜି ୨ ମୃତକଙ୍କ ପତ୍ନୀ କଟକର ପ୍ରଭାସିନୀ ବେହେରା ଓ ରାୟଗଡାର ଦେବୀ ଶବରଙ୍କୁ ନିଯୁକ୍ତି ପତ୍ର ସହ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ସେମାନଙ୍କର ଭଲମନ୍ଦ ପଚାରି ବୁଝିବା ସହ ଅଧୈର୍ଯ୍ୟ ନହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ସେମାନଙ୍କ ସହିତ ଅଛନ୍ତି। ସେମାନଙ୍କର ଆଗାମୀ ଜୀବନ ଓ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ସର୍ବକୁଶଳ କାମନା କରିଥିଲେ।
ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆ, ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡଙ୍ଗୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।