ପୁରୀ: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ବୁଧବାର କାଠ ଅନୁକୂଳ ହୋଇଛି । ପବିତ୍ର ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ କରାଯାଇ ରଥ କାମର ଶୁଭ ଦିଆଯାଇଛି । ବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥ ନିର୍ମାଣର ଶୁଭାରମ୍ଭ କରିଛନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଗୋଟିଏ ଗୋଟିଏ ଧଉରା କାଠରେ ସୁନା କୁରାଢି ସ୍ପର୍ଶ କରାଯାଇଛି ।
ବିଧି ଅନୁଯାୟୀ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଥିଲା । ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣ ବନଯାଗ ବିଧିରେ ରଥ ନିର୍ମାଣର ଅନୁକୂଳ କରିଛନ୍ତି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢ଼ୀ ବନ୍ଧା ନୀତି ପାଳିତ ହୋଇଥିଲା । ଆସନ୍ତାକାଲି ଅର୍ଥାତ ଚତୁର୍ଥୀଠାରୁ ଶ୍ରୀନଅର ସମ୍ମୁଖ ଚାଳିଆରେ ରଥ ନିର୍ମାଣ କାର୍ଯ୍ୟ ଚାଲିବ । ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଉପସ୍ଥିତ ଥିଲେ ।
ଶ୍ରୀପଞ୍ଚମୀରେ ମହାପ୍ରଭୁଙ୍କ ରଥ ଯାତ୍ରା ନିମନ୍ତେ ରଥକାଠ ଆସିଥାଏ । ଏହା ପରେ ଶ୍ରୀରାମ ନବମୀରେ କାଠ ଚିରା ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଆଉ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ।
ସେପଟେ ଅକ୍ଷୟ ତୃତୀୟାରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳୁଛନ୍ତି । ଏହାକୁ ଚନ୍ଦନ ଚାପ ଯାତ୍ରା ମଧ୍ୟ କୁହାଯାଇଥାଏ । ଏଥି ନିମନ୍ତେ ପୁରୀରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।