ଭଦ୍ରକ: ଡକାୟଟି ଉଦ୍ୟମ ବିଫଳ । ପୋଲିସ ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତି । ଏନକାଉଣ୍ଟର ଶିକାର ହୋଇଥିବା ଅପରାଧୀ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ତୁଡ଼ି ଗଡିଆ ଅଂଚଳର ବୁଦ୍ଧିଆ ଓରଫ କମଳାକାନ୍ତ ଦାସ ।
ସୂଚନା ଅନୁସାରେ ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ମାଲ ଗୋଦାମ ଅଂଚଳରେ ବଡ଼ ଧରଣର ଡକାୟତି ଉଦ୍ୟମ ପାଇଁ କମଳାକାନ୍ତ ଓ ତାର ସହଯୋଗୀ ବିଭିନ୍ନ ମରଣାସ୍ତ୍ର ଓ ବନ୍ଧୁକ ଧରି ପ୍ରସ୍ତୁତ ହୋଇ ଯୋଜନା କରୁଥିଲେ । ଏହି ଖବର ଭଦ୍ରକ ଟାଉନ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର ପାଇବା ପରେ ଏକ ପୋଲସି ଟିମ ନେଇ ମାଲ ଗୋଦାମ ରୋଡ଼ରେ ପହଞ୍ଚିଥିଲେ । ତେବେ ପୋଲିସକୁ ଦେଖି କମଳାକାନ୍ତ ହଠାତ ଅତର୍କିତ ଭାବେ 4 ରାଉଣ୍ଡ ଗୁଳି ମାରିଥିଲା । ତେବେ ବାଧ୍ୟ ହୋଇ ପୋଲିସ କମଳାକାନ୍ତ ଉପରକୁ ପାଲଟା ଗୁଳି ମାରିଥିଲା । ଏହି ଗୁଳି କମଳାକାନ୍ତଙ୍କ ଡାହାଣ ଗୋଡ଼ରେ ବାଜିବାରୁ ସେ ତଳେ ପଡିଯାଇଥିଲା । କିନ୍ତୁ କୌଶଳ କ୍ରମେ ତାର ସହଯୋଗୀ ସେଠାରୁ ଫେରାର ହୋଇଯାଇଛି । ପୋଲିସ ଘଟଣା ସ୍ଥଳରୁ କମଳାକାନ୍ତ ଗୁଳି ଚଳାଇଥିବା ବନ୍ଧୁକ ଏବଂ 4 ରାଉଣ୍ଡ ଗୁଳି କୁ ଜବତ କରିଛି । କଡା ସୁରକ୍ଷା ମଧ୍ୟରେ କମଳାକାନ୍ତ ଙ୍କ ଚିକିତ୍ସା କରାଯାଉଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଦ୍ଧାନ୍ତ ଅପରାଧୀ କମଳାକାନ୍ତ ନାମରେ ବାଲେଶ୍ୱର, ସୋର, ଭଦ୍ରକ ଆଦି ଥାନାରେ 14 ରୁ ଅଧିକ ଡକାୟତି, ଓ ଆକ୍ରମଣ ଆଦି ଘଟଣାର ମାମଲା ରହିଥିବା ଭଦ୍ରକ ଟାଉନ ପୋଲିସ ସୂଚନା ଦେଇଛନ୍ତି ।