ଭୁବନେଶ୍ୱର: ଧଉଳି ନିକଟରେ ନାବାଳିକା ଦୁଷ୍କର୍ମ ଘଟଣାକୁ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦୃଢ଼ ନିନ୍ଦା କରିଛନ୍ତି । କୌଣସି ବି ଅପରାଧ ହେଉ, ବିଶେଷକରି ମହିଳା ସଂକ୍ରାନ୍ତୀୟ ଅପରାଧ ସରକାର ତ୍ୱରିତ ପଦକ୍ଷେପ ନେଇଥିବା ମନ୍ତ୍ରୀ କହିଛନ୍ତି ।
ଆଇନ ମନ୍ତ୍ରୀ ନାବାଳିକା ଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି ଏହା ଅତ୍ୟନ୍ତ କଦର୍ଯ୍ୟ ଘଟଣା । ସରକାରଙ୍କ ନଜରକୁ ଘଟଣା ଆସିଛି । କୌଣସି ବି ଅପରାଧ ହେଉ, ବିଶେଷକରି ମହିଳା ସଂକ୍ରାନ୍ତୀୟ ଅପରାଧ ସରକାର ତ୍ୱରିତ ପଦକ୍ଷେପ ନେଇଛନ୍ତି । ସେ ପୀତବାସ ପଣ୍ଡା ହତ୍ୟା ମାମଲା ହେଉ କିମ୍ବା ବିଭିନ୍ନ ଅଞ୍ଚଳରେ ଘଟିଥିବା ମହିଳା ଅପରାଧ ହେଉ ସରକାର ତୁରନ୍ତ ଯଥାର୍ଥ ପଦକ୍ଷେପ ନେଇଛନ୍ତି ଏବଂ ଅପରାଧୀମାନେ ଗିରଫ ହୋଇଛନ୍ତି । ସରକାର ସମସ୍ତ ନ୍ୟାୟିକ ପ୍ରକ୍ରିୟାର ସାମ୍ନା କରିଛନ୍ତି । ଯାହା ଆବଶ୍ୟକତା ଅଛି ସରକାର ନିଶ୍ଚିତ ପଦକ୍ଷେପ ନେଇଛନ୍ତି । ସେହିପରି ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ଫାଷ୍ଟଟ୍ରାକ୍ କୋର୍ଟ ବିଷୟକୁ ସରକାର ଗୁରୁତର ସହ ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ଧଉଳି ନିକଟରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୧୧ ତାରିଖରେ ନାବାଳିକା ନିଜ ସମ୍ପର୍କୀୟଙ୍କ ସହିତ ଧଉଳି ବୁଲିବାକୁ ଆସିଥିବାବେଳେ ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି । ଧଉଳିରୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ସମ୍ପର୍କୀୟ ଜଣକ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉତକ୍ଷିପ୍ତ ହୋଇ ଉଭୟଙ୍କୁ ଏକ ଅନ୍ଧାରିଆ ନଦୀ ପଠାକୁ ଟାଣି ନେଇଥିଲେ। ସେଠାରେ ଦୁର୍ବୃତ୍ତମାନେ ସମ୍ପର୍କୀୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ପଥରରେ ଛେଚି ରକ୍ତାକ୍ତ କରିଦେଇଥିଲେ। ଏହି ଘଟଣାରେ ଧଉଳି ଥାନା ପୋଲିସ ବାଙ୍କିର ବିଭୁ ପ୍ରସାଦ ମିଶ୍ର ଏବଂ କଟକ ଓଲଟପୁରର କାଳିନ୍ଦୀ ପାତ୍ର ଗିରଫ ହୋଇଛନ୍ତି । ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ରାଜ୍ୟ ମହିଳା ଆୟୋଗ ନିଜ ଆଡ଼ୁ ମଧ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି ।