ମୁମ୍ବାଇ: ଗୋଟିଏ ଚାଷୀର ଦୁଃଖ ଯେ କେତେ ତାହା କହିବା ଅସମ୍ଭବ । ମହାଜନଠାରୁ ଆଣିଥିବା ୧ ଲକ୍ଷ ଟଙ୍କା ସୁଝି ନ ପାରିବାରୁ ଶେଷରେ ଜଣେ ଚାଷୀ ନିଜ କିଡ଼ନୀ ବିକ୍ରି କରି ଋଣ ପରିଶୋଧ କରିଛନ୍ତି । ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଏଭଳି ଲଜ୍ଜାଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।
ରୋଶନ ସଦାଶିବ କୁଡେ ନାମକ ଜଣେ ଚାଷୀ ମହାଜନଙ୍କଠାରୁ ଋଣ ପରିଶୋଧ କରିବା ପାଇଁ ତାଙ୍କର କିଡନୀ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ରୋଶନଙ୍କ ଚାରି ଏକର କୃଷି ଜମିରେ ଚାଷ କରି ପରିବାରର ପେଟ ପୋଷୁଥିଲେ । ମାତ୍ର ଚାଷରେ କ୍ଷତି ସହିବା ପରେ ସେ ମହାଜନଙ୍କଠାରୁ ୧ ଲକ୍ଷ ଟଙ୍କା ଋଣ ନେଇ ଏକ ଦୁଗ୍ଧ ବ୍ୟବସାୟ ଆରମ୍ଭ କରିଥିଲେ। କିନ୍ତୁ ଭାଗ୍ୟ ଦାଉ ସାଜିଥିଲା । ବ୍ୟବସାୟ ଆରମ୍ଭ ହେବା ମାତ୍ରେ ଗାଈ ମରିଗଲା । ଫଳରେ ରୋଶନଙ୍କ ପରିସ୍ଥିତି ଆହୁରି ଦୟନୀୟ ହୋଇଗଲା।
ସେପଟେ ମହାଜନଠାରୁ ସୁଧକୁ ଆଣିଥିବା ଟଙ୍କା ବଢ଼ିଯାଇଥିଲା । ମାତ୍ର ୧ ଲକ୍ଷ ଟଙ୍କା ଆଣିଥିବାବେଳେ ସୁଧ ଧିରେ ଧିରେ ବଢ଼ି ୭୪ ଲକ୍ଷ ଟଙ୍କାରେ ପହଁଚିଥିବା ମହାଜନ କହିଥିଲେ । ପ୍ରତିଦିନ ୧୦,୦୦୦ ଟଙ୍କା ସୁଧ ଆଦାୟ କରିବା ଆରମ୍ଭ କରିଦେଲେ ମହାଜନ । ଶେଷର ଋଣ ପରିଶୋଧ କରିବାକୁ ରୋଶନ ୨ ଏକର ଜମି, ତାଙ୍କର ଟ୍ରାକ୍ଟର ଏବଂ ଘରୋଇ ଜିନିଷପତ୍ର ବିକ୍ରି କରିଦେଲେ, କିନ୍ତୁ ଋଣ ସୁଝି ପାରିଲେ ନାହିଁ ।
ଏହା ପରେ ମହାଜନ ରୋଶନଙ୍କୁ ତାଙ୍କର କିଡନୀ ବିକ୍ରୟ କରିବାକୁ ପରାମର୍ଶ ଦେଇଥିଲେ । ଚାଷୀ ଜଣକ କିଛି ଉପାୟ ନ ପାଇ ପ୍ରସ୍ତାବରେ ରାଜି ହୋଇଯାଇଥିଲେ । ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ରୋଶନ କୋଲକାତାରେ ଯାଇ ସେଠାରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ତା’ପରେ ତାଙ୍କୁ କାମ୍ବୋଡିଆ ନିଆଯାଇଥିଲା, ଯେଉଁଠାରେ ତାଙ୍କର କିଡନୀକୁ ଅସ୍ତ୍ରୋପଚାର ଦ୍ୱାରା ବାହାର କରାଯାଇଥିଲା । କିଡନୀକୁ ମାତ୍ର ୮ ଲକ୍ଷରେ ବିକ୍ରି କରାଯାଇଥିଲା।
ସେପଟେ ପୀଡିତ ଚାଷୀ ରୋଶନ ପ୍ରଶାସନ ଉପରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ସେ ପୋଲିସରେ ଅଭିଯୋଗ କରିଥିଲେ, କିନ୍ତୁ ପ୍ରଶାସନ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଯଦି ପୋଲିସ ସମୟୋଚିତ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା, ତେବେ ତାଙ୍କୁ ଏହି ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ସହିବାକୁ ପଡିନଥାନ୍ତା।