ଭୁବନେଶ୍ୱର: ଇଂରାଜୀ ନବ ବର୍ଷ ୨୦୨୬ ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେବାର ସମ୍ଭାବନା ରହିଛି । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ମନ୍ଦିର ସୁରକ୍ଷା ଏବଂ ଟ୍ରାଫିକ୍ ବ୍ୟବସ୍ତା ନେଇ ରାଜ୍ୟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଡିଜିପି ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀମନ୍ଦିର ପରିସର ମଧ୍ୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ସୁନିୟନ୍ତ୍ରଣ, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥାର ସୁପରିଚାଳନା, ସମୁଦ୍ର କୂଳରେ ପାଟ୍ରୋଲିଂ, ଗୁରୁତ୍ଵପୂର୍ଣ୍ଣ ଛକମାନଙ୍କରେ ସିସିଟିଭି ସ୍ଥାପନ, ହୋଟେଲ ଓ ଲଜ ଗୁଡିକରେ କଡା କଡ଼ି ଚେକିଂ ଭଳି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଉପଯୁକ୍ତ ସମନ୍ୱୟ ରଖିବା, ଭକ୍ତମାନଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ ଏବଂ ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ନବବର୍ଷ ପାଳନ ଅବସରରେ ପୁରୀରେ ସୁରକ୍ଷିତ, ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ପୁଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ନକ୍ସଲ ବିରୋଧୀ ଅଭିଯାନ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଂଜୀବ ପଣ୍ଡା, ରେଳବାଇ ଓ ଉପକୂଳ ସୁରକ୍ଷା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ ବୋଥ୍ରା, ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଆଇନ ଶୃଙ୍ଖଳା ଏଡିଜେ ସଞ୍ଜୟ କୁମାର, ଭୁବନେଶ୍ବର-କଟକ ପୋଲିସ କମିଶନର ଏସ.ଦେବଦତ୍ତ ସିଂ, ପୁରୀ ଏସପି ପ୍ରତୀକ ସିଂ, କଟକ ଏସପି(ଗ୍ରାମାଞ୍ଚଳ) ବିନିଥ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।