ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ବର୍ତ୍ତମାନ ମହମ୍ମଦ ମୋକିମଙ୍କ ଝଡ଼ ସୃଷ୍ଟି ହୋଇଛି । ମୋକିମଙ୍କ ଚିଠି ଲେଖା ନିଷ୍ପତ୍ତି କେହି ନାପସନ୍ଦ କରୁଥିବାବେଳେ ଅନ୍ୟ କିଛି ବରିଷ୍ଠ ନେତା ପରୋକ୍ଷରେ ଉଚିତ ବୋଲି କହିଛନ୍ତି । ଏହାରି ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରତିକ୍ରିୟା ରଖିଛନ୍ତି । ସେ ମଧ୍ୟ ସମାନ ପ୍ରସଙ୍ଗକୁ କେନ୍ଦ୍ର କରିଛନ୍ତି । ମୋକିମଙ୍କ ପ୍ରକ୍ରିୟାକୁ ପସନ୍ଦ କରି ନାହାଁନ୍ତି ଜୟଦେବ । ମୋକିମଙ୍କ ଚିଠି ଗଣମାଧ୍ୟମକୁ ଆସିବା ଉଚିତ ନ ଥିଲା ବୋଲି କହିଛନ୍ତି ଜୟଦେବ ଜେନା ।
ଦଳର ନେତ୍ରୀ ସୋନିଆ ଗାନ୍ଧୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ସେ ଚିଠି ଲେଖି ମନ କଥା, ଓଡ଼ିଶା କଂଗ୍ରେସର ଉନ୍ନତି ଏବଂ ଦୁଃଖ କଥା ଜଣାଇ ପାରିବେ । ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ଼ଗେ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ କୌଣସି ପରିସ୍ଥିତିରେ କୌଣସି କଂଗ୍ରେସ ଲୋକ ଚିଠିରେ ମନ୍ତବ୍ୟ ରଖି ଗଣମାଧ୍ୟମରେ କହିପାରିବେ ନାହିଁ ।
ସେହିପରି ନ ଡରିବାକୁ ରାହୁଲ ଦେଇଥିବା ପରାମର୍ଶ ଏ କ୍ଷେତ୍ରରେ ଲାଗୁ ହୋଇପାରିବ ନାହିଁ । କଂଗ୍ରେସ ୧୫୦ ବର୍ଷର ଦଳ । ଭଲ ସମୟ ଆସିଛି ଏବଂ ଖରାପ ସମୟ ଆସିଛି । ନେତାମାନଙ୍କର ବିଲୁପ୍ତ ହୋଇଯାଇଛନ୍ତି କିନ୍ତୁ ଦଳ ସେମିତି ରହିଛି ।
ଏଘଟଣାରେ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ଯୋଡ଼ିବା ଉଚିତ ନୁହେଁ । ସେ କଂଗ୍ରେସ ଦଳର ବିଧାୟିକା । ସୋଫିଆ କଟକ ଭଳି ଭାଇଚାରାର ସହରରେ ନିର୍ବାଚନ ଲଢ଼ି ଜିତିଛନ୍ତି । ତାଙ୍କୁ ଏହା ମଧ୍ୟକୁ ଟାଣିବା ଉଚିତ୍ ନୁହେଁ ବୋଲି ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।
ସେହିପରି ମହମ୍ମଦ ମୋକିମଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ରହିଛି । ସେ ଯେଉଁଭଳି ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି ତାହାକୁ ଜୟଦେବ ନାପସନ୍ଦ କରିଛନ୍ତି । ମୋକିମଙ୍କୁ ବହିଷ୍କାର ଦଳ ଉପରେ ପ୍ରଭାବ ପକାଇ ପାରେ କିନ୍ତୁ ତାହା ଅଧିକ ସମୟ ରହିବ ନାହିଁ । କିନ୍ତୁ ଏହା ଉପରେ ଦଳ ପୁନର୍ବିଚାର କଲେ ସେ ଫେରିଆସି ପାରନ୍ତି ବୋଲି ଜୟଦେବ ଜେନା କହିଛନ୍ତି ।