ଭୁବନେଶ୍ୱର : ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ । ଧଉଳି ନିକଟ ଦୟା ନଦୀ ପଠାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପୁରୁଷ ବନ୍ଧୁଙ୍କ ସହ ଶାନ୍ତିସ୍ତୂପ ଧଉଳି ବୁଲିବାକୁ ଆସିଥିବା ଜଣେ ନାବାଳିକାଙ୍କୁ ୪ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ଗତ ୧୦ ତାରିଖରେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ ଶାନ୍ତିସ୍ତୂପ ଧଉଳି ବୁଲିବାକୁ ଯାଇଥିଲେ । ସେଠାରୁ ବୁଲାବୁଲି ସାରି ସେମାନେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ବାଇକ୍ରେ ସେମାନେ ଲିଙ୍ଗିପୁର-ଟଙ୍କପାଣି ରାସ୍ତାରେ ଫେରୁଥିବା ବେଳେ ଅଧାବାଟରେ ବାଇକ୍ ରଖି ଦୟା ନଦୀ ପଠାରେ ବସିଥିଲେ । ଏହି ସମୟରେ ଦୁର୍ବୃତ୍ତ ମାନେ ସେମାନଙ୍କ ପାଖରେ ପହଞ୍ଚି କେତେ ଟଙ୍କା ରଖିଛ ଦେଇଦିଅ ବୋଲି କହିଥିଲେ । ସେମାନେ ମନା କରିବାରୁ ଦୁର୍ବୃତ୍ତମାନେ ପୁରୁଷବନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପଥରରେ ଛେଚି ମୋବାଇଲ ଓ ଟଙ୍କା , ଅଳଙ୍କାର ଲୁଟିଥିଲେ । ପ୍ରେମିକା ନାବାଳିକା ଜଣଙ୍କ ପ୍ରତିବାଦ କରିବାରୁ ନାବାଳିକାଙ୍କୁ ନଦୀ ପଠାକୁ ଟେକି ନେଇଥିଲେ । ନାବାଳିକା ଜଣଙ୍କ ଚିତ୍କାର କରି ନେହୁରା ହୋଇଥିଲେ ମଧ୍ୟ ଯୌନ ପିପାସୁମାନେ ଅତି ନୃଶଂସ ଭାବେ ଜଣ ଜଣ କରି ତାଙ୍କୁ ଦୁଷ୍କର୍ମ କରିଥିଲେ । ଏପରିକି ଦୁଷ୍କର୍ମ ବେଳର ଦୃଶ୍ୟକୁ ମୋବାଇଲରେ ରେକର୍ଡିଂ ମଧ୍ଯ କରିଥିଲେ । କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଅଭିଯୁକ୍ତ ମାନେ ସେଠାରୁ ପଳାଇଥିଲେ । ବହୁ କଷ୍ଟରେ ପୀଡ଼ିତା ଜଣଙ୍କ ପୁରୁଷବନ୍ଧୁଙ୍କ ସହ ଧଉଳି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଦୁଷ୍କର୍ମକାରୀଙ୍କ ଆକ୍ରମଣରେ ଉକ୍ତ ଯୁବକଙ୍କ ଆଖି ନଷ୍ଟ ହୋଇଯାଇଛି ।
ପୁଲିସ ନାବାଳିକାର ଡାକ୍ତରୀ ପରୀକ୍ଷା କରାଇବା ସହ ବିଏନ୍ଏସ୍ଏସ୍-୧୮୩, ବିଏନ୍ଏସ୍ଏସ୍-୧୮୦ରେ ବୟାନ ରେକର୍ଡ କରିଛି । ଜୁଡିସିଆଲ ମାଜିଷ୍ଟ୍ରେଟ ଫାର୍ଷ୍ଟ କ୍ଲାସରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ବୟାନ ହୋଇଛି ରେକର୍ଡ । ଏଯାବତ ଘଟଣାରେ କମିଶନରେଟ୍ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ଅଛନ୍ତି । ପୋକ୍ସ ମାମାଲା ରୁଜୁ କରି ତନାଘନା କରୁଛି ଧଉଳି ଥାନା ପୁଲିସ୍ ।
ଅନ୍ୟପଟେ ଏହି ଗଣଦୁଷ୍କର୍ମ ଘଟଣାରେ କ୍ରାଇମ ସ୍ପଟ୍ରେ ମହିଳା କମିଶନ ସଦସ୍ୟା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଘଟଣାକୁ ଗୁରୁତର ସହ ନିଆଯାଇଛି, ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବୁ ବୋଲି ମହିଳା କମିଶନ ସଦସ୍ୟା କହିଛନ୍ତି।