ଭୁବନେଶ୍ୱର: ଓଡ଼ିଶାକୁ ଦେଶର ଔଷଧ ଶିଳ୍ପ ବା ଫାର୍ମା ହବ୍ ଭାବେ ଗଢି ତୋଳିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏହି ଲକ୍ଷ୍ୟ ନେଇ ଆୟୋଜିତ ରାଜ୍ୟର ପ୍ରଥମ 'ଓଡିଶା ଫାର୍ମା ସମ୍ମିଳନୀ'କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାକୁ ଆଗାମୀ ଦିନରେ ଦେଶର ଏକ ପ୍ରମୁଖ ଫାର୍ମାସ୍ୟୁଟିକାଲ୍ ହବ୍ ଭାବେ ଗଢ଼ି ତୋଳାଯିବ। ଫାର୍ମା ସେକ୍ଟରରେ ନିବେଶ ପାଇଁ ସେ ଦେଶ-ବିଦେଶର ନିବେଶକଙ୍କୁ ଆହ୍ୱାନ କରିଛନ୍ତି।
ସରକାରଙ୍କ ନୂତନ ଫାର୍ମା ପଲିସି ଅନୁଯାୟୀ, ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ୨୫,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କେବଳ ନିବେଶ ନୁହେଁ, ଏହି ଶିଳ୍ପ ବିକାଶ ମାଧ୍ୟମରେ ୧ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ସମ୍ମିଳନୀ ଓଡ଼ିଶାର ଶିଳ୍ପ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ସମ୍ମିଳନୀରେ ବିଭିନ୍ନ କମ୍ପାନୀ ସହିତ ମୋଟ ୪୨ଟି ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ମୁତାବକ, ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ତୁରନ୍ତ ୬,୨୫୩ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ହେବ। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ପ୍ରାଥମିକ ପର୍ଯ୍ୟାୟରେ ୩୮,୪୦୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ନିବେଶ ଓଡ଼ିଶାର ଅର୍ଥନୀତିକୁ ନୂଆ ଦିଗ ଦେବା ସହ ଯୁବମାନଙ୍କ ପାଇଁ ରୋଜଗାରର ନୂଆ ଆଶା ସୃଷ୍ଟି କରିବ।
ଅଧିକ ପଢନ୍ତୁ: ୨୧ରେ ଓଡ଼ିଶା ଆସିପାରନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ