ମୟୁରଭଞ୍ଜ : ଜଙ୍ଗଲରୁ କଙ୍କାଳ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଡ଼ଗାଁ ଗ୍ରାମ ପଂଚାୟତ ନିକଟସ୍ଥ ମହାଲଦା ହିଲ ଶିଖର ଜଙ୍ଗଲରେ ଏକ ମଣିଷ କଙ୍କାଳକୁ ଉଦ୍ଧାର କରିଛି ବନବିଭଗ। ମୃତକ ଜଣକ ହେଉଛନ୍ତି ବଡ଼ଗାଁ ପଂଚାୟତ ସୁଗଦାଡିହି ଗ୍ରାମ ର ସନିଆ ଦେହୁରୀ । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ଗତ ୧୫ ଦିନ ପୂର୍ବରୁ ସନିଆ ଦେହୁରୀ ନିଖୋଜ ଥିଲେ । ଜଙ୍ଗଲରୁ ତାଙ୍କ କଙ୍କାଳ ଉଦ୍ଧାର ପରେ ଏହି ଘଟଣା ସନ୍ଦେହ ଘେରରେ ରହିଛି । କଙ୍କାଳ ଉଦ୍ଧାର ଓ ଚିହ୍ନଟ ପାଇଁ ସନିଆ ଦେହୁରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକ କଙ୍କାଳ ନିକଟରେ ପଡିଥିବା ପାଣି ବୋତଲ, ଚପଲ ସହ ବିଭିନ୍ନ ସାମଗ୍ରୀ ଦେଖି ତାହା ସନିଆଙ୍କ ବୋଲି ସେମାନେ ଚିହ୍ନଟ କରିଥିଲେ। ଉକ୍ତ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା କିଛି ମହିଳା ମଣିଷ କଙ୍କାଳ ଦେଖି ବଡ଼ଗାଁ ବନ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ବନବିଭାଗ ସମେତ ବାଙ୍ଗିରିପୋଷି ଆଇଆଇସି ବୀରେନ୍ଦ୍ର ସେନାପତି, ଏସଆଇ ଜ୍ୟୋତିରଞ୍ଜନ ସେଠୀ, ଏଏସଆଇ ବିଶ୍ୱରଞ୍ଜନ ପରିଡା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏହା ପରେ ଜଙ୍ଗଲ ମଧ୍ୟରୁ କଙ୍କାଳ ଉଦ୍ଧାର କରି ବାରିପଦା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ଡିଏନଏ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି। ସନିଆକୁ କେହି ହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି କରିଛି ।