ନୂଆଦିଲ୍ଲୀ: ପୁଣି ଥରେ ସରକାରୀ ଅର୍ଥ ହେରଫେର ମାମଲାରେ ଫସିଛନ୍ତି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆ । ତାଙ୍କ ସହିତ ପିଡବ୍ଲ୍ୟୁଡି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଏ ନେଇ ଦୁର୍ନୀତି ନିବାରଣ ଶାଖା (ACB) ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଆପ୍ ସରକାରରେ ଥିବା ଦୁଇ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ସରକାରୀ ସ୍କୁଲ ନିର୍ମାଣରେ ଆର୍ଥିକ ଘୋଟାଲା କରିଥିବା ଅଭିଯୋଗ ହୋଇଛି । ଶାସନ କାଳରେ ୧୨,୭୪୮ ଶ୍ରେଣୀଗୃହ/କୋଠା ନିର୍ମାଣରେ ୨,୦୦୦ କୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସିଛି । ସେତେବେଳେ ମନୀଷ ସିସୋଦିଆ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ଏବଂ ସତ୍ୟେନ୍ଦ୍ର ଜୈନ ପିଡବ୍ଲ୍ୟୁଡି ମନ୍ତ୍ରୀ ଥିଲେ । ଏହି ପ୍ରକଳ୍ପ ଆମ ଆଦମୀ ପାର୍ଟି ସହିତ ଜଡିତ କିଛି ଠିକାଦାରଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି। ଏମତିକି ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ବି କାମ ସମାପ୍ତ ହୋଇନାହିଁ।ସ୍କୁଲରେ ଶ୍ରେଣୀଗୃହ ନିର୍ମାଣରେ ଅତ୍ୟଧିକ ଖର୍ଚ୍ଚ ପାଇଁ ଉଭୟଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି ।
ଉଲ୍ଲେଖଯୋଗ୍ୟ, ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ଏବଂ ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ବିରୁଦ୍ଧରେ ତଦନ୍ତ ପୂର୍ବରୁ ଚାଲିଛି । ଏହି ମାମଲାରେ ଉଭୟ ନେତା ଜେଲ ଯାଇ ଜାମିନରେ ଫେରିଛନ୍ତି ।