ପୁରୀ: ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଦିନ ଦ୍ୱିପ୍ରହରରେ ୪ରୁ ୫ ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରାଉଛନ୍ତି। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ବିର୍ଲା ଛକଠାରୁ ହୋଟେଲ୍ ବ୍ଲୁ ଲିଲି ମଧ୍ୟରେ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରାଇବା ସହ ଅନେକ ହୋଟେଲରୁ ବଟି ଆଦାୟ ଟ୍ରାଭେଲ୍ ଏଜେନ୍ସି ନେବା ପାଇଁ ଏଭଳି ଅପଚେଷ୍ଟା କରୁଛନ୍ତି।
ବଳିଆପଣ୍ଡା ଅଞ୍ଚଳରେ ପ୍ରବଳ ମାତ୍ରାରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲ୍ ଗଢି ଉଠିଥିବା ବେଳେ ହୋଟେଲରୁ ବଟି ଆଦାୟ ପାଇଁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଧରି ଭୟଭୀତ କରାଉଛନ୍ତି ବୋଲି ଅଭିଯୋଗ ହେଉଛି। ବଳିଆପଣ୍ଡା ଅଞ୍ଚଳରେ ପର୍ଯ୍ୟଟକ ମାନେ ବିଭିନ୍ନ ହୋଟେଲରେ ରହୁଥିବା ବେଳେ ଅଧିକାଂଶ ସମୟରେ ସେମାନେ ଲୁଟ୍ ର ଶିକାର ହେବା ନଜରକୁ ଆସୁଛି । ତେଣୁ ପୋଲିସର ନିଷ୍କ୍ରିୟତାକୁ ସ୍ଥାନୀୟ ଲୋକମାନେ ଦାୟୀ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ଆତଙ୍କ ଖେଳାଉଥିବା ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ସହ ମାରଣାସ୍ତ୍ର କେଉଁଠାରୁ ସେମାନେ ଆଣୁଛନ୍ତି ସେନେଇ ତଦନ୍ତ କରିବାକୁ ଦାବି ହୋଇଛି।