ଭୁବନେଶ୍ୱର: କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏମସ୍ ପ୍ଲସ୍ ପ୍ଲସ୍ ଭାବେ ବିକଶିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡିକର ପୁନଃବିକାଶ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିବା ପରେ ଏହା କହିଛନ୍ତି ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଜ୍ୟର ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । କଟକ ଏସସିବି ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ୪୪୭୪.୪୯ କୋଟି ବିନିଯୋଗରେ ଜାରି ରହିଛି । ଏହି କାର୍ଯ୍ୟ ଆସନ୍ତା ବର୍ଷ ଜୁନ୍ ମାସ ସୁଦ୍ଧା ସଂପୂର୍ଣ୍ଣ କରିବାପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ୩୭୯୬କୁ ବୃଦ୍ଧି ପାଇବ । ଏହି ମେଡିକାଲ କଲେଜ ଏମ୍ସ ପ୍ଲସ ପ୍ଲସ (AIIMS ++) ଭାବେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ସେହିପରି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନସର୍ ପ୍ରତିଷ୍ଠାନ ତଥା ହସ୍ପିଟାଲର ମଧ୍ୟ ପୁନଃବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୮୯୫.୮୯ କୋଟି ଟଙ୍କା ବିନିଯୋଗ ହେଉଛି । ଦ୍ଵିତୀୟ ପର୍ଯ୍ୟାୟ ପୁନଃବିକାଶ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଏହାର ଶଯ୍ୟା ସଂଖ୍ୟା ୧୧୨୭କୁ ବୃଦ୍ଧି ପାଇବ।
ବୁର୍ଲା ଭିମସାରର ୧୫୯୪ କୋଟି ଟଙ୍କା ବିନିଯୋଗରେ ପୁନଃବିକାଶ କାର୍ଯ୍ୟ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ଶଯ୍ୟା ସଂଖ୍ୟା ୧୪୮୫ରୁ ବୃଦ୍ଧି ପାଇ ୨୮୬୧ କରାଯିବ । ସେହିପରି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୧୦୧୪.୧୩ କୋଟି ଟଙ୍କା ବିନିଯୋଗରେ ଶଯ୍ୟା ସଂଖ୍ୟା ୧୫୮୩ ରୁ ୨୦୩୩କୁ ବୃଦ୍ଧି ପାଇବ । ରାଉରକେଲା ସରକାରୀ ହସ୍ପିଟାଲର ପୁନଃବିକାଶ ପାଇଁ ୬୨୭.୧୬ କୋଟି ଟଙ୍କା ଅଟକଳ କରାଯାଇଥିବାବେଳେ ଶଯ୍ୟା ସଂଖ୍ୟା ୪୩୭ ରୁ ୭୬୩ କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସେହିପରି ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲକୁ ୫୯୫୮ କୋଟି ଟଙ୍କା ବ୍ୟୟରେ ପୁନଃବିକାଶ କରାଯିବ। ପୁନଃବିକାଶ ପରେ ଏହାର ଶଯ୍ୟା ସଂଖ୍ୟା ୭୫୦ ରୁ ୨୫୮୨ କୁ ବୃଦ୍ଧି ପାଇବ।
ଏହି ସମସ୍ତ ମେଡିକାଲ ପ୍ରକଳ୍ପ ଗୁଡିକରେ ଅତ୍ୟାଧୁନିକ ସ୍ଵାସ୍ଥ୍ୟ ସେବା ସୁବିଧା, ହଷ୍ଟେଲ, ଏକାଡ଼େମିକ ବିଲ୍ଡିଂ, ରୋଗୀ ସଂପର୍କୀୟଙ୍କ ରହଣୀସ୍ଥଳ, ଷ୍ଟାଫ କାର୍ଟର, ଖେଳପଡିଆ, ଅଡିଟୋରିଅମ୍ ଭଳି ଉନ୍ନତ ଭିତ୍ତିଭୂମି ନିର୍ମାଣ ହେବ । ଏହି ସମୀକ୍ଷା ବୈଠକରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ୱତୀ ଏସ୍ ଏବଂ ଓ.ବି.ସି.ସିର ପରିଚାଳନା ନିର୍ଦ୍ଦେଶକ ଓ ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।