ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇଥିବା ବେଳେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଚାପ ଡଙ୍ଗା ନନ୍ଦା ଓ ଭଦ୍ରା। ଏହାସହ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ମଧ୍ୟ ତିନି ରଥ ନିର୍ମାଣର ଶୁଭ ଅନୁକୂଳ କରାଯିବ। ଏଥିପାଇଁ ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ଶ୍ରୀକ୍ଷେତ୍ରକୁ ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ଆଜି ଭୋରରୁ ମହାପ୍ରଭୁଙ୍କ ଦ୍ବାର ଫିଟିବା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଛି । ଅପରାହ୍ନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ରାମକୃଷ୍ଣ ବିମାନକୁ ବିଜେ କରିବା ପରେ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ବିମାନ ସହ ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ଜଳକ୍ରୀଡା କରିବେ। ଅନ୍ୟପଟେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ଆସିବା ପରେ ସୁବର୍ଣ୍ଣ କୁରାଢ଼ୀରେ ତିନିରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି। ତେବେ ଚନ୍ଦନ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ଜଣେ ଅତିରିକ୍ତ ଏସପି, ୫ ଡିଏସପି, ୮ ଇନ୍ସପେକ୍ଟରଙ୍କ ଓ ୨୦ ଜଣ ସବ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ।