ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ ବାତିଲ କରିଛନ୍ତି । ମେ ୯ ତାରିଖରେ ରୁଷର ରାଜଧାନୀ ମସ୍କୋରେ ହେବାକୁ ଥିବା ବିଜୟ ଦିବସ ସମାରୋହରେ ଯୋଗ ଦେବେ ନାହିଁ । କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ଏହି ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭିକ୍ଟ୍ରି ପରେଡ୍ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରୁଷ ନିମନ୍ତ୍ରଣ କରିଥିଲା । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ନିମନ୍ତ୍ରଣକୁ ଗ୍ରହଣ କରିଥିଲା । ମାତ୍ର ପହଲଗାମ ଆକ୍ରମଣ ପରେ ଦେଶରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବାତିଲ କରାଯାଇଛି ବୋଲି କୁହାଯାଉଛି ।
ପ୍ରତି ବର୍ଷ ମସ୍କୋରେ ମେ ୯ ତାରିଖରେ ବିଜୟ ଦିବସ ପରେଡ ଅନୁଷ୍ଠିତ ହୁଏ । ଏହା ରେଡ୍ ସ୍କୋୟାରରେ ଆୟୋଜିତ ହୁଏ । ରୁଷ ସଶସ୍ତ୍ର ବାହିନୀର ଏହି ପରେଡ ବହୁତ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାଧାରଣତଃ ମୁଖ୍ୟ ଅତିଥି ଭାବରେ ଯୋଗ ଦିଅନ୍ତି ଏବଂ ମୁଖ୍ୟ ଭାଷଣ ଦିଅନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ, ରୁଷ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ରୁଷର ନିର୍ଣ୍ଣାୟକ ବିଜୟକୁ ସ୍ମରଣ କରିବା ପାଇଁ ଏହି ପରେଡ୍ ଆୟୋଜନ କରାଯାଏ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୨ ଏପ୍ରିଲରେ ପହଲଗାମରେ ନର ସଂହାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାଉଦି ଆରବ ଗସ୍ତକୁ ସ୍ଥଗିତ ରଖି ଅଧାରୁ ଭାରତ ଫେରି ଆସିଥିଲେ ।