ଭୁଷୁଡ଼ିଲା ଲାଲାଗଡ଼। ଛତିଶଗଡ଼ ତେଲେଙ୍ଗାନା ମହାରାଷ୍ଟ୍ର ସୀମାନ୍ତରେ ବିଜାପୁର ନିକଟବର୍ତ୍ତୀ କାରେଗୁଟ୍ଟା ପାହାଡ଼ ଯାହା ଦିନେ ନକ୍ସଲ ଗଡ଼ ଭାବେ ଜଣାଯାଉଥିଲା, ତାହା ଏବେ ସେନା ଦଖଲରେ। ବିଶାଳ ଅପରେସନ ପରେ ପାହାଡ଼କୁ ସେନା ଅକ୍ତିଆର କରିଛି। ଦଖଲକୁ ନେବା ପରେ ସେଠାରେ ସୈନିକମାନେ ତ୍ରିରଙ୍ଗା ଉତ୍ତୋଳନ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି।
କିଛିଦିନ ତଳେ ବିଜାପୁରରେ ଅନୁଷ୍ଠିତ ନକ୍ସଲ ବିରୋଧୀ ଅଭିଯାନ ପରେ ନକ୍ସଲଙ୍କୁ ତଡ଼ି ଏବେ ଏ ପାହାଡ଼ଟିକୁ ସୁରକ୍ଷା କର୍ମୀ ଦଖଲ କରିଛନ୍ତି। ସୈନିକମାନେ କାରେଗୁଟ୍ଟା ପାହାଡ଼ରେ ବଡ଼ ବଡ଼ ନକ୍ସଲ ନେତାମାନଙ୍କୁ ଘେରି ରହିଛନ୍ତି। କାରେଗୁଟ୍ଟା ପାହାଡ଼ ଉପରେ Mi-17 ହେଲିକପ୍ଟରରୁ ସୈନିକମାନେ ଅବତରଣ କରୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ବିଜାପୁରରେ ଏ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଅପରେସନରେ ୨୦ ହଜାରରୁ ଅଧିକ ସୈନିକ ନିୟୋଜିତ ଅଛନ୍ତି। ତେଲଙ୍ଗାନା-ଛତିଶଗଡ଼ ସୀମାବର୍ତ୍ତୀ କାରେଗୁଟ୍ଟା ପାହାଡ଼ ଅଞ୍ଚଳରେ ପ୍ରାୟ ୨୪,୦୦୦ ସୁରକ୍ଷା କର୍ମୀ ଏକ ସପ୍ତାହରୁ ଅଧିକ ସମୟ ଧରି ତାତି ଓ କଠିନ ଭୂମିରେ ସଂଘର୍ଷ କରି ପ୍ରାୟ ୧,୦୦୦ ନକ୍ସଲଙ୍କୁ ସେମାଙ୍କ ଗଡ଼ରୁ ବାହାର କରିବା ପାଇଁ ଦେଶର ଏକ ବୃହତ୍ତମ ନକ୍ସଲ-ବିରୋଧୀ ଅଭିଯାନରେ ସଫଳ ହୋଇଛନ୍ତି। ଏହି ଅଭିଯାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମାର୍ଚ୍ଚ ୨୦୨୬ ସୁଦ୍ଧା ବାମପନ୍ଥୀ ଉଗ୍ରବାଦ (LWE) ନିର୍ମୂଳ କରିବା ପ୍ରତିଶ୍ରୁତି ଆହ୍ୱାନ ପରେ ଚାଲିଥିଲା। ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ୍ ମୁତୟନ କରାଯାଇଛି।