ଉତ୍ତରାଖଣ୍ଡ: ସାରା ଦେଶରେ ବୁଧବାର ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଉଛି। ଏହି ଶୁଭ ଅବସରରେ ଉତ୍ତରାଖଣ୍ଡରେ ଆଜିଠାରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। ଉତ୍ତରକାଶୀ ସ୍ଥିତ ମା’ ଗଙ୍ଗାଙ୍କ ଗଙ୍ଗୋତ୍ରୀ ଧାମ କପାଟ ଖୋଲିବା ସହ ଶୁଭାରମ୍ଭ ହୋଇଛି ଚାରିଧାମ ଯାତ୍ରା । ମନ୍ଦିରର କପାଟ ଖୋଲିବା ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଉପସ୍ଥିତ ଥିଲେ । ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଖୋଲିଲା ଗଙ୍ଗୋତ୍ରୀ କପାଟ । ହର୍ ହର୍ ଗଙ୍ଗାରେ ଚତୁର୍ଦିଗ ପ୍ରକମ୍ପିତ ହୋଇଉଠିଥିଲା । ତେବେ ଗଙ୍ଗୋତ୍ରୀ ଧାମରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ କରାଯାଇଛି ।
6 ମାସ ଧରି ଚାଲିବ ଚାରିଧାମ ଯାତ୍ରା:
ଗଙ୍ଗୋତ୍ରୀ ଧାମ କପାଟ ଖୋଲିବା ବେଳେ ଉପସ୍ଥିତି ଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପହଞ୍ଚିବା ପରେ ସେଠାରେ କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ । ଆଜି କପାଟ ଖୋଲୁଥିବାରୁ ଶ୍ରଦ୍ଧାଳୁ ଭିଡ ଜମିଥିଲା । ସେପଟେ ମନ୍ଦିରକୁ ଫୁଲରେ ସଜ୍ଜିତ କରାଯାଇଥିଲା । ଆସନ୍ତା 6 ମାସ ପର୍ଯ୍ୟନ୍ତ ଚାଲିବ ଏହି ଚାରିଧାମ ଯାତ୍ରା । ଯେଉଁଥିରେ ମା’ ଗଙ୍ଗା ଆଳତୀ ଓ ଦର୍ଶନ ପ୍ରତ୍ୟେକ ଦିନ ହେବ ।
ମନ୍ତ୍ର ଉଚ୍ଚାରଣରେ ଖୋଲିଲା କପାଟ:
ବୈଦିକ ମନ୍ତ୍ର ଉଚ୍ଚାରଣ ଓ ପୂଜାର୍ଚ୍ଚନାରେ ଶ୍ରଦ୍ଧାଳୁଙ୍କ ପାଇଁ ଗଙ୍ଗୋତ୍ରୀ ଧାମ ଖୋଲି ଦିଆଯାଇଛି । ସକାଳ ୧୦.୩୦ ସମୟରେ ଦେଶ ବିଦେଶରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲି ଦିଆଯାଇଛି । ଆଜି ସକାଳ ୭ଟା ସମୟରେ ମା’ ଗଙ୍ଗାଙ୍କ ଶବାରୀ ଭୈରବ ମନ୍ଦିରରୁ ବାହାରି ଗଙ୍ଗୋତ୍ରୀ ଧାମରେ ପହଞ୍ଚିଥିଲା । ଏହା ପରେ ପୁରୋହିତ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ୧୦.୩୦ଟା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର କପାଟ ଖୋଲାଯାଇଥିଲା । ଚାରିଧାମ ଯାତ୍ରା ଆରମ୍ଭ ହେବା ପୂର୍ବରୁ ୨୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ କରିସାରିଛନ୍ତି । ଏପ୍ରିଲ ୨୯ ସୁଦ୍ଧା ଗଙ୍ଗୋତ୍ରୀ ଧାମ ଦର୍ଶନ ପାଇଁ ୩ ଲକ୍ଷ ୯୭ ହଜାର ୯୬୫ ତୀର୍ଥଯାତ୍ରୀ ରେଜିଷ୍ଟେସନ କରିଥିଲେ । ୟମୁନୋତ୍ରୀ ଧାମ ପାଇଁ ୩,୬୫,୫୬୯ ତୀର୍ଥଯାତ୍ରୀ ରେଜିଷ୍ଟ୍ରେସନ କରିଛନ୍ତି ଏପ୍ରିଲ ୨୯ ସୁଦ୍ଧା । ଚାରି ଧାମ ଦର୍ଶନ ପାଇଁ ଏପ୍ରିଲ ୨୯ ସନ୍ଧ୍ୟା ୫ଟା ସୁଦ୍ଧା ୨୨,୩୦,୭୯୯ ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ କରିଛନ୍ତି ।
ଅଧିକ ପଢନ୍ତୁ: ଆସନ୍ତାକାଲି ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବାକୁ ଯାଉଛି ଚାରିଧାମ ଯାତ୍ରା; ସରକାର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ