ନୂଆଦିଲ୍ଲୀ: ପହଲଗାମ ହମଲା ପରେ ବି ଆତଙ୍କବାଦୀଙ୍କ ସପକ୍ଷରେ ଛିଡା ହୋଇଥିବା ପାକିସ୍ତାନକୁ ଆଉ ଏକ ବଡ ଝଟକା ଦେଇଛି ଭାରତ । ଭାରତ ପାକିସ୍ତାନର ସମସ୍ତ ଉଡାଣ ପାଇଁ ନିଜର ଏୟାରସ୍ପେସ ବନ୍ଦ କରିବାକୁ ଘୋଷଣା କରିଛି । ବୁଧବାର ଭାରତ ନୋଟିସ୍ ଜାରି କରି ନିଜର ବାୟୁ ସୀମା ବନ୍ଦ କରିବାକୁ ଘୋଷଣା କରିଛି । ପାକିସ୍ତାନୀ ବିମାନ ଉପରେ ଏପ୍ରିଲ ୩୦ରୁ ୨୦୨୫ ମେ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ।
ଭାରତର ଏହି ନିଷ୍ପତ୍ତିରେ ପାକିସ୍ତାନର ବାଣିଜ୍ୟିକ ଓ ସୈନ୍ୟ ଉଭୟ ପ୍ରକାରର ବିମାନ ଉପରେ ପ୍ରଭାବ ପଡିବ । ଏହା ପୂର୍ବରୁ ପାକିସ୍ତାନ ନିଜର ବାୟୁ ସୀମା ଭାରତ ପାଇଁ ବନ୍ଦ କରି ସାରିଛି । ଅନ୍ୟପଟେ ଭାରତର ଆକ୍ସନରେ ଚିହିଁକି ଉଠିଥିବା ପାକିସ୍ତାନ ପୂର୍ବରୁ ଭାରତୀୟ ବିମାନର ଉଡାଣ ପାଇଁ ନିଜର ଆକାଶ ମାର୍ଗ ବନ୍ଦ କରିବାକୁ ଘୋଷଣା କରିଥିଲା । ଏବେ ଭାରତ ନିଜର ଏୟାରସ୍ପେସ ବନ୍ଦ କରି ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ କାଶ୍ମୀରର ପହଲଗାମରେ ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଏହି ହମଲା ପରେ ଭାରତୀୟ ସରକାର ପାକିସ୍ତାନ ବିରୋଧରେ ଅନେକ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ସହ ଅନେକ କଠୋର ପଦକ୍ଷେପ ନିଆଯାଇଛି । ଏଥିରେ ପାକିସ୍ତାନ ଚିହିଁକି ଉଠିଛି । ବଦଳରେ ପାକିସ୍ତାନ ନିଜ ସୀମାରେ ସେନାକୁ ଆଲର୍ଟ କରିବା ସହ ଅନେକ ପଦକ୍ଷେପ ଗ୍ରହଣ କରିଛି ।