ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରଠୁ ଇସ୍ରାଏଲ ଭାରତ ସଂପର୍କରେ ରହିଛି । ଇସ୍ରାଏଲ ଖୋଲାଖୋଲି କହିଛି ଯେ, ଆତଙ୍କବାଦ ବିରୋଧୀ ଅଭିଯାନରେ ତାଙ୍କ ଦେଶ ଭାରତକୁ ସବୁ ପ୍ରକାରର ସାହାଯ୍ୟ କରିବାକୁ ପ୍ରସ୍ତୁତ । ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଉଜାର ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବ ଆତଙ୍କୀ ହମଲାକୁ ୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସ କରିଥିବା ଆକ୍ରମଣ ସହ ତୁଳନା କରିଛନ୍ତି ।
ସେ କହିଛନ୍ତି, ତାଙ୍କ ଦେଶ ଭାରତର ଆତ୍ମରକ୍ଷା ଅଧିକାରକୁ ପୂର୍ଣ୍ଣ ଭାବେ ସମର୍ଥନ କରନ୍ତି । ପହଲଗାମ ହମଲାକୁ ଗତ ଦୁଇ ଦଶନ୍ଧିରେ ନାଗରିକଙ୍କ ଉପରେ ହୋଇଥିବା ସବୁଠୁ ଘାତକ ହମଲା ମଧ୍ୟରୁ ଗୋଟିଏ । ଇସ୍ରାଏଲ ଭାରତ ସହ କାନ୍ଧରେ କାନ୍ଧ ମିଶାଇ ଛିଡା ହୋଇ ରହିଛି । ଆତଙ୍କବାଦ ବିରୋଧ ଲଢେଇରେ ଭାରତକୁ ଯଥା ସମ୍ଭବ ସହାୟତା ଦେବାକୁ ପ୍ରସ୍ତୁତ । ୱାଏନକୁ ଦେଇଥିବା ସାକ୍ଷାତକାରରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଅଜାର କହିଛନ୍ତି, ଭାରତର ଅଖଣ୍ଡତା ଓ ସାର୍ବଭୌମଜତା ଉପରେ ହମଲା ହୋଇଛି । ପ୍ରତି ଦେଶକୁ ନିଜ ଆତ୍ମରକ୍ଷାର ଅଧିକାର ରହିଛି ।
ସେ କହିଛନ୍ତି, ଭାରତ ନିକଟରେ ସବୁ ପ୍ରକାରର ଅଧିକାର ରହିଛି । ଭାରତ ନିଜ ହିସାବରେ ଜବାବ ଦେଇ ପାରିବ । ଭାରତ ଆତଙ୍କବାଦ ବିରୋଧରେ ନିଜର ନୀତିକୁ ମଜବୁତ କରିଛି । ଭାରତ କେବେ ବି ଆତଙ୍କବାଦ ସାମ୍ନାରେ ମୁଣ୍ଡ ନୁଆଁଇବ ନାହିଁ । ଆତଙ୍କବାଦର ନିପାତ ପାଇଁ ଇସ୍ରାଏଲ ଭାରତ ସହିତ ଗୁଇନ୍ଦା ସୂଚନା, ଟେକ୍ନୋଲୋଜି ଓ ଅନ୍ୟ କ୍ଷେତ୍ରରେ ସହଯୋଗକୁ ମଜବୁତ ପାଇଁ ପ୍ରତିବଦ୍ଧ ।
ଅଜାର କହିଛନ୍ତି, ଆମେ ଭାରତକୁ ପରାମର୍ଶ ଦେବା ସ୍ଥିତିରେ ନାହୁଁ । ଭାରତକୁ ଜଣା କେଉଁ ସମୟରେ କଣ କରିବା ଉଚିତ୍ । କାରଣ ଭାରତ ସରକାର ଓ ଏହାର ସୁରକ୍ଷା ଏଜେନ୍ସିକୁ ଭଲ ଭାବେ ଜଣା ଯେ, ନିଜ ସୀମାରେ ଆତଙ୍କବାଦୀଙ୍କ ସହ କେମିତି ମୁକାବିଲା କରାଯିବ । ଆମେ ସବୁ ସ୍ଥିତିରେ ଭାରତକୁ ସବୁ ପ୍ରକାରର ସହାୟତା କରିବାକୁ ପ୍ରସ୍ତୁତ ।