ମୁୁମ୍ବାଇ: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ପହଲଗାମରେ ଘଟିଥିବା ଆତଙ୍କବାଦୀ ହମଲା ପାଇଁ ଭାରତୀୟ ସେନା ଉପରେ ଆଙ୍ଗୁଳି ଉଠାଇଛନ୍ତି । ତାଙ୍କ କହିବା କଥା ଘଣ୍ଟାଏ ପର୍ଯ୍ୟନ୍ତ ଆତଙ୍କବାଦୀ ନରସଂହାର କଲେ, ସେ ପର୍ଯ୍ୟନ୍ତ କେହି ଆସିଲେ ନାହିଁ । ପରେ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ କିଛି ମିନିଟରେ ଏହାର ଦୋଷ ପାକିସ୍ତାନ ଉପରେ ଲଗାଇଲେ ।
ପହଲଗାମ ହମଲା ଉପରେ ଶାହିଦ ଆଫ୍ରିଦିଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ସେ କହୁଛନ୍ତି, ଏକ ଘଣ୍ଟା ଧରି ଆତଙ୍କବାଦୀମାନେ ସେଠାରେ ନରସଂହାର କଲେ ଏବଂ ୮ଲକ୍ଷ ସେନା ମଧ୍ୟରୁ କେହି ଆସିଲେ ନାହିଁ । ଆଉ ଯେତେବେଲେ ଆସିଲେ ୧୦ ମିନିଟ୍ ଭିତରେ ପାକିସ୍ତାନ ଉପରେ ଦୋଷ ଲଦି ଦେଲେ । ନିଜେ ଲୋକଙ୍କୁ ମାରୁଛନ୍ତି, ନିଜେ ଭିଡିଓ ପ୍ରସ୍ତୁତ କରୁଛନ୍ତି, ଆଉ ଦୋଷ ପାକିସ୍ତାନକୁ ଦେଉଛନ୍ତି । ଏମିତି କଦାପି କର ନାହିଁ ବୋଲି ଶାହିଦ ଆଫ୍ରିଦି କହିଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି, କୌଣସି ବି ଦେଶ ଆତଙ୍କବାଦକୁ ସମର୍ଥନ କରିବେ ନାହିଁ । ପାକିସ୍ତାନ ସର୍ବଦା ଶାନ୍ତିର କଥା କହିଥାଏ । ଆମେ ସର୍ବଦା ଭାରତ ସହ ସୁସଂପର୍କ ସ୍ଥାପନ ପାଇଁ ଉଦ୍ୟମ କରି ଆସିଛୁ । ଆମକୁ ସେଠାରୁ ଧମକ ମିଳି ଆସିଛି । ମୋ ମତରେ କ୍ରୀଡା ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ସୁସମ୍ପର୍କର ଭଲ ମାଧ୍ୟମ ହୋଇ ପାରିବ । ଭାରତର କବାଡି ଟିମ୍ ପାକିସ୍ତାନ ଆସି ପାରୁଛି କିନ୍ତୁ କ୍ରିକେଟ୍ ଦଳ ଆସି ପାରୁ ନାହାନ୍ତି । ଯଦି ବନ୍ଦ କରିବାର ଅଛି ସବୁ ବନ୍ଦ କର, ଯଦି ଚାଲିବାର ଅଛି ପୂରା ଚାଲ ବୋଲି ଆଫ୍ରିଦି କହିଛନ୍ତି ।