ମୁୁମ୍ବାଇ: ପହଲଗାମ ଆତଙ୍କୀ ହମଲାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି । ଭାରତର ଅନେକ ଦୃଢ ପଦକ୍ଷେପରେ ଛାନିଆ ପାକିସ୍ତାନ । ଭାରତ କେଉଁ ସମୟରେ କଣ କରିବ ତାକୁ ନେଇ ପାକିସ୍ତାନବାସୀ ପ୍ରମାଦ ଗଣୁଛନ୍ତି । ଏହା ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ରବିବାର ପାକିସ୍ତାନ ମୁସଲିମ ଲିଗ ନୱାଜ(ପିଏମଏଲ-ଏନ)ର ଅଧ୍ୟକ୍ଷ ନୱାଜ ସରିଫଙ୍କୁ ରାଷ୍ଟ୍ରୀୟ ସୁରକ୍ଷା କମିଟି(ଏନଏସସି) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି । ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖାଯିବା ଉପରେ ଏହି ବୈଠକ ଡକାଇଥିଲା ପାକିସ୍ତାନ ।
ଶେହବାଜ ସରିଫ ସାକ୍ଷାତ ସମୟରେ ନୱାଜ ସରିଫଙ୍କୁ ଜଣାଇଛନ୍ତି ଯେ, ଏହା ଫ୍ଲସ ଫ୍ଲାଗ ଅପରେସନ ଥିଲା । ଏହାର ଅର୍ଥ ଭାରତ ଦ୍ୱାରା ଜାଣିଶୁଣି ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯଦ୍ୱାରା ଆଞ୍ଚଳିକ କ୍ଷେତ୍ରରେ ଅସ୍ଥିରତା ଉତ୍ପନ ହେବ । ଭାରତର ଏହି ଏକତରଫା ପଦକ୍ଷେପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିପଦକୁ ଆହୁରି ବଢାଇ ଦେଇଛି । ଏହି ବୈଠକରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ମଧ୍ୟ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ଶେଷବାଜ ସରିଫ କହିଛନ୍ତି, ପାକିସ୍ତାନ ଶାନ୍ତି ପାଇଁ ପ୍ରତିବଦ୍ଧ । ମାତ୍ର ଦେଶର ସୁରକ୍ଷା ସହ କୌଣସି ପ୍ରକାରର ସାଲିସ କରାଯାଇ ପାରିବ ନାହିଁ । ତେବେ ନୱାଜ ସରିଫ ଚାହାନ୍ତି ତାଙ୍କ ଦେଶର ସରକାର ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରନ୍ତୁ । ନୱାଜ ସରିଫ ଏହି ପ୍ରସଙ୍ଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇବା ପକ୍ଷରେ ନାହାନ୍ତି ।
ଏହା ପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଭାରତକୁ ଏହି ଘଟଣାର ଯାଞ୍ଚ ପାଇଁ ଆମେରିକା, ଇରାନ, ଚୀନ, ରୁଷ ଓ ବ୍ରିଟେନ ଅଧିକାରୀଙ୍କ ସହିତ ଏକ ଅନ୍ତର୍ଜାତୀୟ ଆୟୋଗ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଛି । ଯଦି ଏମିତି ହୁଏ ତେବେ ପାକିସ୍ତାନ ଦୁନିଆ ସାମ୍ନାରେ ତଥ୍ୟ ଉପସ୍ଥାପନ କରି ପାରିବ । ଆମେ ଜାଣିଛୁ ଭାରତ ଦ୍ୱାରା ଏହା ଏକ ନାଟକ ଥିଲା । ଏହି ମିଛ ଉପରୁ ପରଦା ହଟାଇବା ପାଇଁ ଆମେ ଯେ କୌଣସି ପ୍ରକାର ଆୟୋଗ ସହ କାମ କରିବାକୁ ପ୍ରସ୍ତୁତ । ଯଦି ଭାରତ କୌଣସି ଦୁଃସାହସ କରେ ତେବେ ଆମେ ପଛକୁ ହଟିବୁ ନାହିଁ ବୋଲି ଖ୍ୱାଜା ଆସିଫ କହିଥିଲେ ।