ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ସିନ୍ଧୁଜଳ ଚୁକ୍ତି ସ୍ଥଗିତା ରଖିବାରୁ ଚିହିଁକି ଉଠିଛି ପାକିସ୍ତାନ। ପାଣି ରୋକାଗଗଲେ ରକ୍ତ ର ନଦୀ ବହିବ ବୋଲି ଧମକ ଦେଇଥିବା ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ଅଧ୍ୟକ୍ଷ ବିଲାଓ୍ଵଲ ଭୁଟ୍ଟୋ ଜର୍ଦ୍ଦାରୀ ଏବେ ନିଜର ଔକାତକୁ ଫେରିଛନ୍ତି।
ଆଲୋଚନା ଜରିଆରେ ଉତ୍ତେଜନା କମ କରିବା କଥା କହୁଛି ପାକିସ୍ତାନ। ପିପିପିର ଅଧ୍ୟକ୍ଷ ବିଲାଓ୍ଵଲ ଭୁଟ୍ଟୋ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା କରାଯାଉ। ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ବିଲାଓ୍ଵଲ ଭାରତର ଆଭିମୁଖ୍ୟ ପ୍ରତି ଅବଶୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପାକିସ୍ତାନ ସରକାର ଆଲୋଚନାର ପ୍ରସ୍ତାବ ଦେଇଛନ୍ତି, ମାତ୍ର ଭାରତ ଏହାକୁ ଅସ୍ଵୀକାର କରିଛି।
ପହଲଗାମରେ ଘଟିଥିବା ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହା ପରେ ଭାରତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ସିନ୍ଧ ଜଳ ଚୁକ୍ତି ସ୍ତଗିତ ରଖିଛି। ଆଗାମୀ ସମୟରେ ପାକିସ୍ତାନରେ ଜଳ ସମସ୍ୟା ଦେଖିବାକୁ ମିଳିପାରେ। କେବଳ ଏତିକି ନୁହେଁ ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିବା ସହ ଅଟାରୀ ଚେକ୍ ପୋଷ୍ଟକୁ ବନ୍ଦ କରିଛି ଭାରତ।
ଏହା ପୂର୍ବରୁ ପିପିପିର ଅଧ୍ୟକ୍ଷ ବିଲାଓ୍ଵଲ ଭୁଟ୍ଟୋ ଜର୍ଦ୍ଦାରୀ ନିଜର ଗୃହ ରାଜ୍ୟ ସିନ୍ଧର ସୁକ୍କୁର ଅଞ୍ଚଳରେ ଏକ ସାର୍ବଜନୀନ ରାଲିକୁ ସମ୍ବୋଧିତ କରି କହିଥିଲେ ଯେ, ସିନ୍ଧୁ ଆମର ନଦୀ ଏବଂ ଆମର ହୋଇ ରହିବ।ନଦୀରେ ପାଣି ବହିବ ନଚେତ୍ ସେମାନଙ୍କର ରକ୍ତ ବହିବ। ଭାରତ ମଧ୍ୟ ତାଙ୍କ ବୟାନକୁ ନେଇ ମୁହଁତୋଡ଼ ଜବାବ ଦେଇଥିଲା।