ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ଅନେକ ଆହତଙ୍କ ଚିକିତ୍ସା ଜାରି ରହିଛି। ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଆତଙ୍କୀମାନେ ପ୍ରାୟ ୨୦ରୁ ୨୨ ଘଣ୍ଟା ଘଞ୍ଚ ଜଙ୍ଗଲରେ ଚାଲି ଚାଲି ବେସରନ ଘାଟିରେ ପହଞ୍ଚିଥିଲେ। ଆଉ ହିନ୍ଦୁଙ୍କୁ ଟାର୍ଗେଟ୍ କରି ନରସଂହାର କଲେ। ଆତଙ୍କୀ ହମଲା ପରେ ସୁରକ୍ଷାବଳ ଆତଙ୍କବାଦୀଙ୍କ ସନ୍ଧାନ ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଚଳାଇଛନ୍ତି। ସମଗ୍ର ଦେଶରେ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ଆକ୍ରମଣ ସମୟରେ ଆତଙ୍କବାଦୀ ପର୍ଯ୍ୟଟକଙ୍କଠୁ ଦୁଇ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ସୂତ୍ର ଅନୁଯାୟୀ ଆକ୍ରମଣରେ ଚାରି ଜଣ ଆତଙ୍କବାଦୀ ସାମିଲ ଥିଲେ। ଏମାନଙ୍କ ମଧ୍ୟରୁ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ଥିବା ବେଳେ ଜଣେ ସ୍ଥାନୀୟ ଆତଙ୍କବାଦୀ। ସ୍ଥାନୀୟ ଆତଙ୍କବାଦୀର ନାଁ ହେଉଛି ଆଦିଲ ଠୋକର।
ଫରେନ୍ସିକ ବିଶ୍ଳେଷଣରୁ ଜଣା ପଡ଼ିଛି ଯେ, ହମଲାରେ ଆତଙ୍କବାଦୀମାନେ ଆଧୁନିକ ଏକେ-୪୭ ଓ ଏମ ୪ ଆସଲ୍ଟର ବ୍ୟବହାର କରିଛନ୍ତି। ଘଟଣାସ୍ଥଳରୁ ଜବତ ହୋଇଥିବା ଗୁଳି ପ୍ରମାଣ ଭାବେ ବେଶ ଗୁରୁତ୍ଵପୂର୍ଣ୍ଣ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଓ ଘଟଣାସ୍ଥଳରୁ ମିଳିଥିବା ଭିଡିଓ ଅନୁସାରେ, ଦୁଇ ଆତଙ୍କବାଦୀ ଦୋକାନ ପଛରେ ଥିଲେ। ଅଚାନକ ସେମାନେ ବାହାରକୁ ଆସି କଲମା ପଢିବାକୁ କହିଥିଲେ। କିଛି ସମୟ ପରେ ଆତଙ୍କବାଦୀ ଚାରି ଜଣ ଲୋକଙ୍କ ମୁଣ୍ଡକୁ ଗୁଳି କରିଥିଲେ ଏବଂ ଘଟଣାସ୍ଥଳରେ ସଭିଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣା ଦେଖି ଲୋକେ ସ୍ତବ୍ଧ ହେବା ସହ ନିଜ ଜୀବନ ବଞ୍ଚାଇବା ପାଇଁ ଏପଟେ ସେପଟେ ଦୌଡ଼ିବାରେ ଲାଗିଥିଲେ। ଏହା ପରେ ଆତଙ୍କବାଦୀ ଆଖି ବୁଜା ଗୁଳିମାଡ଼ କରିଥିଲେ। ଏହି ସମୟରେ ଛପି ରହିଥିବା ଆଉ ଦୁଇ ଆତଙ୍କବାଦୀ ବାହାରି ତାଣ୍ଡବଲୀଳା ମଚାଇଥିଲେ।
ପହଲଗାମ ଆତଙ୍କୀ ହମଲାକୁ ନେଇ ସର୍ବ ପ୍ରଥମ କଲ ପ୍ରାୟ ୨ଟା ୩୦ରେ ଥାନାକୁ ଆସିଥିଲା। ଏହି କଲ୍ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରଓ୍ବାଲଙ୍କ ପତ୍ନୀ ହିମାଂଶୀ ନରଓ୍ଵାଲ କରିଥିଲେ। ସେ ସୂଚନା ଦେଇଥିଲେ ଯେ, ତାଙ୍କ ସ୍ଵାମୀଙ୍କୁ ଅତି ନିକଟରୁ ଗୁଳି କରାଯାଇଛି। ଘଟଣାସ୍ଥଳରେ ସର୍ବପ୍ରଥମେ ପହଲଗାମ ଥାନା ଅଧିକାରୀ ପହଞ୍ଚିଥିଲେ। ସେତେବେଳକୁ ଆତଙ୍କବାଦୀ ଫେରାର ହୋଇ ସାରିଥିଲେ।
ଏନଆଇଏର ତଦନ୍ତରେ ବି ମହତ୍ଵପୂର୍ଣ୍ଣ ଅଗ୍ରଗତି ହୋଇଛି। ତଦନ୍ତରୁ ଜଣା ପଡ଼ିଛି ଯେ, ଯେବେ ଆତଙ୍କବାଦୀ ଆକ୍ରମଣ କରୁଥିଲେ, ସେହି ସମୟରେ ଜଣେ ସ୍ଥାନୀୟ ଫଟୋଗ୍ରାଫର ପୂରା ହମଲାର ଭିଡିଓ ରେକର୍ଡ କରିଥିଲେ। ସେହି ସମୟରେ ଫଟୋଗ୍ରାଫର ଜଣକ ନିଜ ଜୀବନ ବଞ୍ଚାଇବା ପାଇଁ ଗଛ ଉପରକୁ ଚଢି ଯାଇଥିଲେ। ତଦନ୍ତରେ ଏହି ଭିଡିଓ ଏବେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଭିଡିଓ ଜରିଆରେ ଏଜେନ୍ସି ଏବେ ହମଲାର ବାସ୍ତବିକ ସମୟ ଜାଣି ପାରିବେ। ଏହା ସହ ଆତଙ୍କବାଦୀଙ୍କ ଚିହ୍ନଟ ହୋଇପାରିବ।