ଭୁବନେଶ୍ୱର: ପାକିସ୍ଥାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ମହମ୍ମଦ ଆସିଫଙ୍କ X ଆକାଉଣ୍ଟକୁ ବ୍ୟାନ କରିଛି ଭାରତ । କାଶ୍ମୀରର ପେହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ମିଥ୍ୟା ଓ ଅପପ୍ରଚାର ଖବର ପ୍ରଚାର କରିବା ନେଇ ଭାରତ ଏପରି ପଦକ୍ଷେପ ନେଇଛି ।
ଏହା ପୂର୍ବରୁ ଭାରତ ପାକିସ୍ଥାନୀ ଅଫିସର ମାନଙ୍କ ସମେତ ଓ ୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ମଧ୍ୟ ବ୍ୟାନ କରିଥିଲା ।
X ପରି ସାମାଜିକ ଗଣମାଧ୍ୟମ ଗୁଡିକ କିଛି ନିର୍ଦ୍ଧିଷ୍ଟ ନିର୍ଦେଶାଳୀ ଅନୁଯାୟୀ କାମ କରନ୍ତି । ଯଦି ଏହି ଆକାଉଣ୍ଟ ଗୁଡିକରେ ମିଥ୍ୟା ତଥ୍ୟ ଓ ଲୋକମାନଙ୍କୁ ଉତ୍ତେଜିତ କରିବା ଭଳି ଗତିବିଧି ଲକ୍ଷ୍ୟ କରାଯାଏ, ତେବେ ସେହି ଆକାଉଣ୍ଟ ଗୁଡିକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଏନେଇ କୋର୍ଟ କିମ୍ବା ସରକାରୀ କର୍ତ୍ତୃପକ୍ଷ ନିର୍ଦେଶନାମା ଜାରି କରିପାରନ୍ତି ।
ଭାରତ ମାଟିରେ ପାକିସ୍ଥାନର ଏହି ଆତଙ୍କବାଦୀ ଗତିବିଧି ବିରୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପାକିସ୍ଥାନୀ ମିଡ଼ିଆ ଗୁଡିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି । ଭାରତ, ଭାରତୀୟ ନାଗରିକ ତଥା ଭାରତୀୟ ସେନା ଓ ସୁରକ୍ଷା ସମ୍ପର୍କରେ ମିଥ୍ୟା ତଥା ଉତ୍ତେଜକ ଓ ଭୁଲ ଖବର ପ୍ରସାରଣ କରୁଥିବା ଅଭିଯୋଗରେ ୧୬ଟି ପାକିସ୍ଥାନୀ ୟୁଟ୍ୟୁବ ଚ୍ୟାନେଲ ଉପରେ ରୋକ ଲଗାଯାଇଛି ।
ଭାରତ ମାଟିରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଏହି ବର୍ବରକାଣ୍ଡକୁ ନେଇ ସାରା ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସମଗ୍ର ବିଶ୍ୱ ପାକିସ୍ଥାନକୁ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ନେଇ ନିନ୍ଦା କରୁଥିବା ବେଳେ, ଭାରତ ପାକିସ୍ଥାନ ଉପରେ ନେଇଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ -
- ଭାରତ ପାକିସ୍ଥାନ ମଧ୍ୟରେ ଥିବା ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଛି
- ଅଟାରି ସୀମାକୁ ବନ୍ଦ କରାଯାଇଛି
- ସମସ୍ତ ପାକିସ୍ଥାନୀ ନାଗରିକଙ୍କୁ ପାକିସ୍ଥାନ ଫେରିଯିବାକୁ ନିର୍ଦେଶ ଦିଆଯାଇଛି
- ପାକିସ୍ଥାନ ଅଫିସର ମାନଙ୍କ ଭିଜା ରଦ୍ଦ କରାଯାଇଛି
- ପାକିସ୍ଥାନ ହାଇକମିଶନରେ ଭାରତୀୟ ଅଫିସରଙ୍କୁ ସ୍ବଦେଶ ପ୍ରତ୍ୟାବର୍ତନ କରିବାକୁ ନିର୍ଦେଶ ମିଳିଛି
- ଇସ୍ଲାମାଵାଦ ସହିତ ସବୁ ସାମରିକ ସମ୍ବନ୍ଧକୁ ସ୍ଥଗିତ ରଖାଯାଇଛି
ଆହୁରି ପଢନ୍ତୁ: ଭାରତୀୟ ସିନେମା ଜଗତର ଜଣେ ପ୍ରତିଭାବାନ ସିତାରା ଇର୍ଫାନ୍: ଆଜି ପଞ୍ଚମ ଶ୍ରାଦ୍ଧବାର୍ଷିକୀ