ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ବନ୍ଧ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ସୋମବାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ ପାକିସ୍ତାନ ଉପରେ କେଉଁ ସମୟରେ ବି ହମଲା କରିପାରେ । ଏହି ସଙ୍କଟକୁ ଦୃଷ୍ଟିରେ ରଖି ପାକିସ୍ତାନ ସୀମାରେ ସେନା ମୁତୟନ ବଢାଇ ଦେଇଛି । ସେନାକୁ ଆଲର୍ଟ ମୋଡରେ ରହିବାକୁ ନିର୍ଦ୍ଦେଶ ଦେଇଛି । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏମିତି ବୟାନ ପରେ ପଡୋଶୀ ଦେଶରେ ଚହଳ ପଡି ଯାଇଛି ।
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଇସଲାମାବାଦରେ ନିଜ ଦପ୍ତରରେ ରୟଟର୍ସକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଆମେ ନିଜର ସେନାକୁ ମଜବୁତ କରିଛୁ । କାରଣ ଭାରତ ଆଡୁ ଯୁଦ୍ଧର ସମ୍ଭାବନା ରହିଛି । ଏଥିପାଇଁ ଏମିତି ସ୍ଥିତିରେ କିଛି ରଣନୈତିକ ନିଷ୍ପତ୍ତି ନେଇଛି । ଭାରତର ପ୍ରସ୍ତୁତି ଦେଖି ଲାଗୁଛି, ସେ କେବେ ବି ଆମ ଉପରେ ହମଲା କରିପାରେ ।
ଆସିଫ କହିଛନ୍ତି, ପାକିସ୍ତାନର ସେନା ସରକାରଙ୍କୁ ଭାରତୀୟ ଆକ୍ରମଣର ସମ୍ଭାବନାକୁ ନେଇ କିଛି ସୂଚନା ଦେଇଥିଲେ । କିନ୍ତୁ ସେ ଏହା କହି ନାହାନ୍ତି ଯେ, ପାକିସ୍ତାନ ସରକାର ଏମିତି କାହିଁକି ଭାବୁଛି ଯେ, ଭାରତ ଦ୍ୱାରା ସମ୍ଭାବିତ ଆକ୍ରମଣ ହୋଇପାରେ । ସେ କହିଛନ୍ତି ପାକିସ୍ତାନ ବର୍ତ୍ତମାନ ହାଇ ଆଲର୍ଟରେ ରହିଛି । ପାକିସ୍ତାନ ନିଜର ପରମାଣୁ ଅସ୍ତ୍ରର ବ୍ୟବହାର ତେବେ କରିବ ଯେବେ ଆମର ଅସ୍ଥିତ୍ୱ ପ୍ରତି ସିଧାସଳଖ ବିପଦ ରହିବ ବୋଲି ଖ୍ୱାଜା କହିଛନ୍ତି ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ କାଶ୍ମୀରର ପହଲଗାମରେ ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଏହି ହମଲା ପରେ ଭାରତୀୟ ସରକାର ପାକିସ୍ତାନ ବିରୋଧରେ ଅନେକ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ସହ ଅନେକ କଠୋର ପଦକ୍ଷେପ ନିଆଯାଇଛି । ଏଥିରେ ପାକିସ୍ତାନ ଚିହିଁକି ଉଠିଛି । ବଦଳରେ ପାକିସ୍ତାନ ନିଜ ସୀମାରେ ସେନାକୁ ଆଲର୍ଟ କରିବା ସହ ଅନେକ ପଦକ୍ଷେପ ଗ୍ରହଣ କରିଛି ।