ନୂଆଦିଲ୍ଲୀ: ହାଇଦ୍ରାବାଦର ସାଂସଦ ଅସଦୁଦ୍ଦୀନ ଓଓ୍ଵେସୀ ପାକିସ୍ତାନର ନେତା ବିଲାଓ୍ଵଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କୁ ସୋମବାର ଖୁବ୍ କଟାକ୍ଷ କରିଛନ୍ତି। ପହଲଗାମ ଆତଙ୍କୀ ହମଲା ଉପରେ ବିଲାଓ୍ଵଲ ଦେଇଥିବା ବୟାନର କଡା ଜବାବ ଦେଇ ଓଓ୍ଵେସୀ କହିଛନ୍ତି, ସେ ନୂଆ ନୂଆ ରାଜନୀତିକୁ ଆସିଛନ୍ତି। ତାଙ୍କୁ କିଛି ଜଣା ନାହିଁ। ସେ ପ୍ରଥମେ ଚିନ୍ତା କରନ୍ତୁ ଯେ, ତାଙ୍କ ମାଆଙ୍କୁ କିଏ ହତ୍ୟା କରିଛି। ସେ କଣ ଜାଣି ନାହାନ୍ତି କି ତାଙ୍କ ମାଆଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି। ବିଲାଓ୍ଵଲ ଭୁଟ୍ଟୋ ବର୍ତ୍ତମାନ ସାଂସଦ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ।
ଓଓ୍ଵେସୀ କହିଛନ୍ତି, ଯାହାଙ୍କ ମାଆକୁ ଆତଙ୍କବାଦୀ ହତ୍ୟା କରିଛନ୍ତି, ସେ କିଛି ବୁଝି ପାରୁନି। ଯଦି ତାଙ୍କ ମାଆକୁ କେହି ହତ୍ୟା କରୁଛି ତେବେ ସେ ଆତଙ୍କବାଦୀ। ମାତ୍ର ଆମର ମାଆ ଭଉଣୀଙ୍କ ଉପରେ ଆକ୍ରମଣ ହେଲେ ସେମାନେ ଆତଙ୍କବାଦୀ ନୁହନ୍ତି। ପାକିସ୍ତାନ କହୁଛି ସେ ନିରୀହ ଲୋକଙ୍କ ହତ୍ୟା କରି ପାରିବ ନାହିଁ କାରଣ ସେ ଆଣବିକ ଶକ୍ତି ସଂପନ୍ନ ଦେଶ। ପାକି୍ସ୍ତାନକୁ ମନେ ରଖିବା ଉଚିତ୍ ଯେ ତାର ଲୋକ ବାହାର ଦେଶରେ ବୁଲିବ ଏବଂ ନିରୀହ ଲୋକଙ୍କ ନରସଂହାର କରିବ। ତେବେ ସେହି ଦେଶ ଚୁପ୍ ହୋଇ ବସିବ ନାହିଁ। ଆପଣ କେମିତି ଧର୍ମ ପଚାରି ଲୋକଙ୍କ ହତ୍ୟା କରୁଛନ୍ତି। ଆପଣ ଇସଲାମିକ ଷ୍ଟେଟ୍ ଆତଙ୍କୀ ସଂଗଠନ ପରି କାମ କରୁଛନ୍ତି।
ଓଓ୍ଵେସୀ ପାକିସ୍ତାନର ପ୍ରତିରକ୍ଷା ବଜେଟ୍କୁ ନେଇ ମଧ୍ୟ ତାର୍ତ୍ସଲ୍ୟ କରିଛନ୍ତି। ସେ କହିଛନ୍ତି ପାକିସ୍ତାନର ମୋଟ୍ ବଜେଟ୍ର ବି ଆମର ପ୍ରତିରକ୍ଷା ବଜେଟ୍ଠୁ କମ। ଆପଣ ଆମ ଦେଶଠୁ କେବଳ ଅଧା ଘଣ୍ଟା ପଛରେ ନାହାନ୍ତି ବରଂ ଅଧା ଶତାବ୍ଦୀ ପଛରେ ଅଛନ୍ତି। ଦୀର୍ଘ ସମୟ ଧରି ପାକିସ୍ତାନ ଆମ ବିରୋଧରେ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇ ଆସୁଛି। ଆତଙ୍କୀ ସଂଗଠନ ଲସ୍କର ଏ ତୋଇବା ପାକିସ୍ତାନ ସରକାରଠୁ ଜନ୍ମ ନେଇଛି।