ନୂଆଦିଲ୍ଲୀ: ପହଲଗାମରେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ଜୀବନ ନେଇଥିବା ଆତଙ୍କବାଦୀଙ୍କୁ ଯୋଦ୍ଧା କହିଥିବା ବିଶ୍ୱର ପ୍ରତିଷ୍ଠିତ ନ୍ୟୁଜ୍ ଚ୍ୟାନେଲ୍ ବିବିସକୁ ତାଗିଦ କରିଛନ୍ତି କେନ୍ଦ୍ର ସରକାର । ଏ ନେଇ ସରକାର ବିବିସିର ଭାରତ ଶାଖା ମୁଖ୍ୟ ଜ୍ୟାକି ମାର୍ଟିନଙ୍କୁ ଚିଠି ଲେଖି ଚେତାବନୀ ଦେଇଛନ୍ତି ।
ୟୁକେରେ ବିବିସି ଶାଖାର ଏକ ଆର୍ଟିକିଲରେ "କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ପ୍ରାଣ ଘାତକ ପରେ ପାକିସ୍ତାନ ଭାରତୀୟଙ୍କ ପାଇଁ ଭିସା ରଦ୍ଦ କରିଛି" ଶୀର୍ଷକରେ ଖବର ପ୍ରସାରଣ ହୋଇଥିଲା । ଏଥିରେ ଆତଙ୍କବାଦୀକୁ ଯୋଦ୍ଧା ବୋଲି ଲେଖାଯାଇଥିଲା । ଯାହା ପରେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଭାରତ ସରକାର ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ।
ଅନ୍ୟପକ୍ଷରେ ଭାରତ ଓ ସେନା ବିରୁଦ୍ଧରେ ବିଭ୍ରାନ୍ତିକର ଖବର ପ୍ରସାରଣକୁ ନେଇ କେନ୍ଦ୍ର ସରକାର 16 ଟି ପାକିସ୍ତାନ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ କରିଦେଇଛନ୍ତି । ପ୍ରତିଷ୍ଠିତ ଡନ୍ ନ୍ୟୁଜ୍ (Dawn News), ସମା ଟିଭି (Samaa TV), ଏରି ନ୍ୟୁଜ୍ (ARY News), ଜିଓ ନ୍ୟୁଜ୍ (Geo News), ବୋଲ୍ ନ୍ୟୁଜ୍ (Bol News), ରଫତାର୍ (Raftar), ସୁନୋ ନ୍ୟୁଜ୍ (Suno News) ଆଦି ଚ୍ୟାନେଲକୁ ବ୍ୟାନ୍ କରାଯାଇଛି । ସେହିପରି କିଛି ସାମ୍ବାଦିକଙ୍କୁ ମଧ୍ୟ ବ୍ୟାନ୍ କରାଯାଇଛି । ସେମାନେ ହେଲେ ଇର୍ଶାଦ୍ ଭାଟ୍ଟି, ଆସମା ସିରାଜ୍, ଇମର୍ ଚୀମା ଓ ମୁନିବ୍ ଫାରୁକ୍ । ସେହିପରି କେତେକ ସ୍ପୋର୍ଟସ ଚ୍ୟାନେଲ୍ ସମା ସ୍ପୋର୍ଟ୍ସ (Samaa Sports), ଉଜୈର କ୍ରିକେଟ୍ (Uzair Cricket), ଏବଂ ରଜି ନମ୍ମା (Razi Naama)କୁ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର ।