ଶ୍ରୀନଗର: ଜମ୍ମୁ-କାଶ୍ମୀର ବିଧାନସଭା ଗୋଟିଏ ସ୍ୱରରେ ପହଲଗାମ ଆତଙ୍କୀ ହମଲାର ନିନ୍ଦା କରିଛି । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଭାବୁକଭରା ଭାଷଣ ଦେଇଛନ୍ତି । ସେ କହିଛନ୍ତି ୨୬ ମୃତକ ପରିଜନଙ୍କ ପ୍ରତି ହୃଦୟରୁ ସମବେଦନା । ଏମିତି ସମୟରେ କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରିବା ଆମ ପାଇଁ ଲଜ୍ଜାଜନକ କଥା ହେବ ।
ଉମର କହିଛନ୍ତି, ଆମେ ଏତେ ଶସ୍ତା ରାଜନୀତି କରି ପାରିବୁ ନାହିଁ । ମାହୋଲ୍ ଠିକ୍ ରହିବ, ଅତିଥି ପର୍ଯ୍ୟଟଙ୍କ ଉପରେ କୌଣସି ବିପଦ ନ ଆସିବ, ଜମ୍ମୁ-କାଶ୍ମୀରର ନିର୍ବାଚିତ ସରକାରଙ୍କ ଏହା ପ୍ରଥମ ଦାୟିତ୍ୱ । ଏମିତି ସମୟରେ ମୁଁ ଜମ୍ମୁ-କାଶ୍ମୀର ପାଇଁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ପାରିବି ନାହିଁ । ଏମିତି ସ୍ଥିତିରେ ମୁଁ କେଉଁ ମୁହଁରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରିବି । ଆମେ ଚାହୁଁ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳୁ । କିନ୍ତୁ ଏମିତି ସମୟରେ ଏହା ଦାବି କରିବା ମୁଁ ଧିକ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସମୟରେ ମୁଁ କେବଳ ଗୋଟିଏ ଜିନିଷ ମାଗୁଛି ତାହା ହେଉଛି ହମଲାର କଡା ନିନ୍ଦା ଓ ମୃତକ ପରିଜନଙ୍କ ପ୍ରତି ହୃଦୟରୁ ସମବେଦନା । ମୃତକଙ୍କ ପରିଜନଙ୍କୁ ଦେବା ପାଇଁ ମୋ ପାଖରେ କିଛି ନାହିଁ । କେବଳ ମୁଁ ଗଭୀର ସମବେଦନା ଜଣାଉଛି । ସେମାନଙ୍କୁ କିଛି କହିବା ପାଇଁ ମୋ ପାଖରେ ଶବ୍ଦ ନାହିଁ । ହମଲା ପରେ ସ୍ଥାନୀୟ ଲୋକଙ୍କ ଭୂମିକାକୁ ଉମର ଅବଦୁଲ୍ଲା ପ୍ରଶଂସା ବି କରିଛନ୍ତି । ସ୍ୱତନ୍ତ୍ର ଅଧିବେଶ ଆରମ୍ଭ ହେବା ପୂର୍ବରୁ ଗୃହରେ ପ୍ରଥମେ ନିରବ ପ୍ରାର୍ଥନା କରାଯାଇଥିଲା ।
ସେ କହିଛନ୍ତି, ମୋତେ ବିଶ୍ୱାସ ହେଉନି କିଛି ଦିନ ପୂର୍ବେ ଆମେ ଏହି ଗୃହରେ ଥିଲୁ । ବଜେଟ୍ ଓ ଅନେକ ପ୍ରସଙ୍ଗରେ ବିତର୍କ କଲୁ । ଅନ୍ତିମ ଦିନରେ ଆମେ ଚା ପିଉଥିଲୁ ଏବଂ ଚିନ୍ତା କରୁଥିଲୁ ପରବର୍ତ୍ତୀ ଅଧିବେଶନ ବିଷୟରେ । ସେହି ସମୟରେ କେହି ଚିନ୍ତା କରି ନ ଥିଲେ ଯେ, ଆମକୁ ଆଜି ଏମିତି ମାହୋଲରେ ଭେଟିବାକୁ ପଡିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରଚାର କରୁଥିବା ଲୋକଙ୍କୁ ବୁଝିବା ଦରକାର ଯେ, ଏଥିରେ ଲୋକଙ୍କ ଜୀବନ କେତେ ମୁସ୍କିଲ ହୋଇଥାଏ । ଆମେ ବନ୍ଧୁକରେ ଆତଙ୍କବାଦ ନିୟନ୍ତ୍ରଣ କରି ପାରିବା ମାତ୍ର ସମାପ୍ତ କରି ପାରିବା ନାହିଁ । ଏମିତି ସମୟରେ ଆମେ ଜମ୍ମୁ-କାଶ୍ମୀର ପାଇଁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ପାରିବୁ ନାହିଁ । ମୁଁ କେଉଁ ମୁହଁରେ ଏମିତି ଦାବି କରିବି ।