ଭୁବନେଶ୍ୱର: ପବିତ୍ର ଚାରିଧାମ ଯାତ୍ରା ଆସନ୍ତା ଏପ୍ରିଲ ୩୦, ୨୦୨୫ ରୁ ଆରମ୍ଭ ହେବାକୁ ଯାଉଛି । ଗଙ୍ଗୋତ୍ରୀ, ୟମୂନୋତ୍ରୀ, ବଦ୍ରୀନାଥ ଓ କେଦାରନାଥ ଆଦି ଚାରିଧାମ ଯାତ୍ରା ପବିତ୍ର ଅକ୍ଷୟତୃତୀୟା ଅବସରରେ ଆରମ୍ଭ ହେବାକୁ ଥିବା ବେଳେ ସୋମବାର ୨୮ ଏପ୍ରିଲରୁ ଏନେଇ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି ।
ଉତ୍ତରାଖଣ୍ଡ ଟୁରିଜିମ ବିଭାଗର ରିପୋର୍ଟ ଅନୁଯାୟୀ ସମୁଦାୟ ୨୦ ଲକ୍ଷ ଲୋକ ଅନଲାଇନ ପଞ୍ଜିକରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ବହୁ ବିଦେଶୀ ନାଗରିକ ମଧ୍ୟ ସାମିଲ ଅଛନ୍ତି । ଯଦି ଆପଣ ଅନଲାଇନ ପଞ୍ଜିକରଣ ମିସ୍ କରିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ ସୋମବାର ଠାରୁ ଆରମ୍ଭ ହୋଇଛି ଅଫଲାଇନ ପଞ୍ଜିକରଣ । ଏଠି ନିମନ୍ତେ ହରିଦ୍ୱାରରେ ୨୦ଟି ଫ୍ରି ରେଜିଷ୍ଟ୍ରେସନ କାଉଣ୍ଟର ଖୋଲାଯାଇଛି । ଏହି ଅଫଲାଇନ ପଞ୍ଜିକରଣ ପାଇଁ ଆଜି ସକାଳୁ ଶ୍ରଦ୍ଧାଳୁଙ୍କର ଲମ୍ବା ଧାଡ଼ି ପରିଲକ୍ଷିତ ହୋଇଛି ।
ଯଦି ଆପଣ ଚାରିଧାମ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଟିକେଟ ଏଥିପାଇଁ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ଡେରାଡୁନ, ଋଷିକେଶ, ରୁଦ୍ରପ୍ରୟାଗ, ଚମୋଲୀ ଓ ଉତ୍ତରକ୍ଷୀ ଆଦି ସ୍ଥାନରେ ୫୦ ରୁ ଅଧିକ ରେଜିଷ୍ଟ୍ରେସନ ସେଣ୍ଟରର ବ୍ୟବସ୍ଥା କରାଯାଇଛି । ଏହି ସବୁ ସ୍ଥାନରେ ଶ୍ରଦ୍ଧାଳୁଙ୍କୁ ଯାତ୍ରାପାଇଁ ଟିକେଟ ଉପଲବ୍ଧ କରାଯିବ ।
ରେଜିଷ୍ଟ୍ରେସନ ପାଇଁ କଣ ଆବଶ୍ୟକ ରହିଛି ?
- ବ୍ୟକ୍ତିଙ୍କ ଆଧାର କାର୍ଡ
- ବ୍ୟକ୍ତିଗତ ମୋବାଇଲ ନମ୍ବର
- ସ୍ୱାସ୍ଥ୍ୟ ସମ୍ବନ୍ଧିତ ପ୍ରମାଣପତ୍ର
କିପରି କରିବେ ଅଫଲାଇନ ରେଜିଷ୍ଟ୍ରେସନ ?
- ଅଫଲାଇନ ରେଜିଷ୍ଟ୍ରେସନ ପାଇଁ ହରିଦ୍ୱାର, ସୋନପ୍ରୟାଗ, ଋଷିକେଶ ତଥା ବରକୋଟ ନିକଟସ୍ଥ କାଉଣ୍ଟରକୁ ଯାଆନ୍ତୁ ।
- ସେଠାରେ ନିଜର ଆବଶ୍ୟକୀୟ ତଥ୍ୟ ଦେଇ ରେଜିଷ୍ଟ୍ରେସନ ଫର୍ମ ଭରନ୍ତୁ । ଏହା ସହିତ ନିଜର ପରିଚୟ ପତ୍ରର ଜେରକ୍ସ ପ୍ରଦାନ କରନ୍ତୁ ।
- ଫର୍ମ ଓ ପରିଚୟ ପତ୍ର ଆଦି ନଥି କାଉଣ୍ଟରରେ ଜମା କରି କାନଫର୍ମେଶନ ସ୍ଲିପ ଗ୍ରହଣ କରନ୍ତୁ ।
ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରେ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବାକୁ ଯାଉଛି । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ ।