ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଆକ୍ସନ ମୋଡକୁ ଆସିଛି ଭାରତ । ଆଗାମୀ ଋଣନୀତି ନେଇ ଘନ ଘନ ବୈଠକ ଡାକୁଛନ୍ତି କେନ୍ଦ୍ର ସରକାର । ଏହାରି ଭିତରେ ଆଜି (ସୋମବାର) ଦିନ ୧୧ଟା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିଲ ଡୋଭାଲଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା । ୪୦ ମିନିଟ୍ ଧରି ବସିଥିବା ଏହି ବୈଠକରେ ସୁରକ୍ଷା ପରିସ୍ଥିତି, ପାକିସ୍ତାନର ଭୂମିକା, ଏବଂ ଭବିଷ୍ୟତ ରଣନୀତି ଉପରେ ଆଲୋଚନା କରାଯାଇଥିଲା । ପାକିସ୍ତାନ ବିରୋଧରେ ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ଘୋଷଣା କରି ପାରନ୍ତି ଭାରତ ସରକାର। ସେପଟେ ସବୁ ପ୍ରତିରକ୍ଷା ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ସେନାର ସିନିୟର ଅଫିସରଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।
ଆକ୍ରମଣ ପରଠାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିରନ୍ତର ଉଚ୍ଚସ୍ତରୀୟ ବୈଠକରେ ବ୍ୟସ୍ତ ଅଛନ୍ତି। ରବିବାର ସେ ସିଡିଏସ୍ ଜେନେରାଲ ଅନିଲ ଚୌହାନଙ୍କ ସହ ଏକ ବୈଠକ କରିଥିଲେ। ଏହା ପୂର୍ବରୁ ସେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସହ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ। ଆକ୍ରମଣ ପରେ ସେନା ମୁଖ୍ୟ ନିଜେ ପହଲଗାମ ଏବଂ ଶ୍ରୀନଗର ଗସ୍ତ କରିଥିଲେ ଏବଂ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀଙ୍କଠାରୁ ପାକିସ୍ତାନୀ ସେନାର ଗୁଳିମାଡ଼ ଏବଂ ଅନୁପ୍ରବେଶ ବିଷୟରେ ସୂଚନା ନେଇଥିଲେ।
ଯେକୌଣସି ମୁହୂର୍ତ୍ତରେ ହୋଇପାରେ ଯୁଦ୍ଧର ଘୋଷଣା:
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ହେଉଥିବା ଏହି ବୈଠକରେ ସମସ୍ତ ଶୀର୍ଷ ସୁରକ୍ଷା ଅଧିକାରୀମାନେ ଯେପରି ସାମିଲ ହୋଇଛନ୍ତି, ସେଥିରୁ ସ୍ପଷ୍ଟ ଯେ ଖୁବ୍ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଏହି ନିଷ୍ପତ୍ତି ସାମରିକ, କୂଟନୈତିକ କିମ୍ବା ଉଭୟ ସ୍ତରରେ ନିଆଯାଇପାରିବ। ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ। ଏବେ ଆତଙ୍କବାଦର ପ୍ରତ୍ୟେକ ଉତ୍ସକୁ ମୂଳପୋଛ କରିବାକୁ ପଡିବ। ତେଣୁ ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧର ଘୋଷଣା କରିପାରନ୍ତି କେନ୍ଦ୍ର ସରକାର ।
ଆକ୍ସନମୋଡ଼ରେ ସରକାର:
ପହଲଗାମ ଆକ୍ରମଣ ପରେ, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଏବେ କେବଳ ନିନ୍ଦା ନୁହେଁ ବରଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଧାନମନ୍ତ୍ରୀଙ୍କଠାରୁ ସେନା ଏବଂ ସୁରକ୍ଷା ଏଜେନ୍ସି ପର୍ଯ୍ୟନ୍ତ, ସବୁ ସ୍ତରରେ ଆଲୋଚନା ଏବଂ ଯୋଜନା ଚାଲିଛି। ଏହା ପାକିସ୍ତାନ ଏବଂ ଆତଙ୍କବାଦୀମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଯେ ଭାରତ ଏହାକୁ ଆଉ ସହ୍ୟ କରିବ ନାହିଁ।
ପ୍ରଧାନମନ୍ତ୍ରୀ କହିଲେ ପୀଡ଼ିତାଙ୍କୁ ମିଳିବ ନ୍ୟାୟ:
ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର ଦେଶକୁ ସମ୍ବୋଧିତ କରିଛନ୍ତି। ଉଭୟ ଭାଷଣରେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ପୀଡିତାଙ୍କୁ ନ୍ୟାୟ ମିଳିବ ଏବଂ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ। ତାଙ୍କର ବକ୍ତବ୍ୟ ଏହା ମଧ୍ୟ ସୂଚାଇ ଦେଇଛି ଯେ ଭାରତ ଆଉ କେବଳ ପ୍ରତିକ୍ରିୟାଶୀଳ ନୁହେଁ ବରଂ ରଣନୈତିକ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ଅଛି।
ଅଧିକ ପଢନ୍ତୁ: ଯୁଦ୍ଧ ସ୍ଥିତି ଭିତରେ ଆଜି ଫ୍ୟାନ୍ସ ସହ ଭାରତର ରାଫେଲ୍ ଚୁକ୍ତି; ବାୟୁସେନା ପରେ ଏବେ ନୌସେନାରେ ସାମିଲ ହେବ ଲଢୁଆ ବିମାନ