ଭାରତ-ପାକିସ୍ତାନ ଯୁଦ୍ଧ ସ୍ଥିତି ଭିତରେ ଆଜି ଭାରତ ଏବଂ ଫ୍ରାନ୍ସ ଭିତରେ ହେବାକୁ ଯାଉଛି ରାଫେଲ୍ ଚୁକ୍ତି । ୨୬ଟି ଲଢୁଆ ମେରାଇନ୍ ବିମାନ କିଣିବାକୁ ଫ୍ୟାନ୍ସ ସହ ୬୩ ହଜାର କୋଟିର ଡିଲ୍ କରିବ ଭାରତ । ଏହି ଚୁକ୍ତିନାମାରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭର୍ଚୁଆଲ ଭାବେ ସ୍ୱାକ୍ଷର କରିବେ । ଏଥିସହ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତ ଥିଏରୀ ମାଥୁ ଏହାର ଅଧକ୍ଷ୍ୟତା କରିବେ । ତେବେ ଏହା ପୂର୍ବରୁ ଭାରତୀୟ ବାୟୁସେନାରେ ୩୬ଟି ରାଫେଲ୍ ମୁତୟନ ରହିଛି । ଏବେ ପୁଣି ନୂଆ ୨୬ଟି ରାଫେଲ୍ ନୌସେନା ପାଇଁ କିଣିବାକୁ ଯାଉଛି ଭାରତ।
ପହଲଗାମ ଆତଙ୍କୀ ଆକ୍ରମଣ ପରେ ଶତ୍ରୁ ଦେଶକୁ ଜବାବ୍ ଦେବାକୁ ପ୍ରସ୍ତୁତ ରହିଛି ଭାରତ। କୌଣସି ପରିସ୍ଥିତିରେ ଯୁଦ୍ଧ ପରିସ୍ଥିତି ଉପୁଜିପାରେ। ଏହାରି ଭିତରେ ନୌସେନାକୁ ରାଫେଲ ବଳ ମିଳିବା ଦେଶ ପାଇଁ ଶକ୍ତିଶାଳୀ ସବ୍ୟସ୍ତ ହୋଇପାରେ। ତେବେ ଏହି ୨୬ଟି ରାଫେଲ୍ ବିମାନ ମଧ୍ୟରେ ୨୨ଟି ସିଙ୍ଗଲ ସିଟର୍ ରାଫେଲ ଏମ୍ ଜେଟ୍ ଏବଂ ୪ଟି ଡବଲ ଟ୍ୱିନ୍ ସିଟର ରାଫେଲ୍ ଜେଟ୍ ରହିଛି । ଯୁଦ୍ଧବିମାନ ପରିବହନକାରୀ ଯୁଦ୍ଧଜାହାଜ ଆଇଏନଏସ୍ ବିକ୍ରମାଦିତ୍ୟ ଏବଂ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତରେ ସାମିଲ ହେବ । ଏହି ଚୁକ୍ତି ଅନୁଯାୟୀ ଯୁଦ୍ଧବିମାନର ମରାମତି, ଚାଳକଙ୍କୁ ପ୍ରଶିକ୍ଷଣ, କିଛି ପାର୍ଟ୍ସର ଘରୋଇ ନିର୍ମାଣ ମଧ୍ୟ କରାଯିବ ।
ଏବେ ବାୟୁସେନାରେ କାର୍ଯ୍ୟକ୍ଷମ ରହିଛି ୩୬ଟି ରାଫେଲ୍ ବିମାନ। ସେଗୁଡ଼ିକ ଅମ୍ବାଲା ଓ ହାସିମାରା ବାୟୁସେନା ଘାଟିରେ ମୁତୟନ ରହିଛି। ନୌସେନା ପାଇଁ ୨୬ଟି ରାଫେଲ୍ ଆସିଲେ, ଭାରତୀୟ ସେନା ପାଖରେ ରାଫେଲ୍ ସଂଖ୍ୟା ୬୨କୁ ବୃଦ୍ଧି ପାଇବ। ଏହା ଭିତରେ ଗତକାଲି ଆରବ ସାଗରରେ ନୌସେନା ପକ୍ଷରୁ ଆଇଏନଏସ୍ ସୁରଟରୁ ଆଣ୍ଟି ସିପ୍ ମିସାଇଲ ପରୀକ୍ଷଣ ହୋଇଛି।