ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରି ଆଇପିଏଲ ଇତିହାସରେ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି । ସେ ଶତକୀୟ ଇନିଂସ ଖେଳି ରାଜସ୍ଥାନ ରୟାଲ୍ସକୁ ବିଜୟୀ କରାଇଛନ୍ତି । ଏହି ୧୪ ବର୍ଷୀୟ ବାଳକ ମାତ୍ର ୩୫ ବଲରୁ ଶତକ ହାସଲ କରିଛନ୍ତି । ଏଥିସହ ଆଇପିଏଲରେ ଭାରତୀୟ ଖେଳାଳି ଭାବେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି । ମୋଟାମୋଟି ଆଇପିଏଲରେ ବୈଭବ ଦ୍ୱିତୀୟ ଦ୍ରୁତତମ ଶତକ ମାରିଛନ୍ତି । ତାଙ୍କ ପୂର୍ବରୁ କ୍ରିସ ଗେଲ୍ ମାତ୍ର ୩୦ ବଲରୁ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ।
ସୂର୍ଯ୍ୟବଂଶୀ ପ୍ରଥମେ ଚଳିତ ଆଇପିଏଲ ସିଜିନରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ମାତ୍ର ୧୭ ବଲରୁ ଏହି ଉପଲବ୍ଧି ହାସଲ କରିଥିଲେ । ଏହା ପରେ ବିସ୍ଫୋରକ ବ୍ୟାଟିଂ କରି ୩୫ ବଲରେ ଶତକ ହାସଲ କରିଛନ୍ତି । ଭାରତୀୟ ଖେଳାଳି ଭାବେ ଆଇପିଏଲରେ ଦ୍ରୁତତମ ହାସଲ କରିବାର ରେକର୍ଡ ୟୁସୁଫ ପଠାନଙ୍କ ନାଁରେ ଥିଲା । ୟୁସୁଫ ୩୭ ବଲରୁ ଏହି ରେକର୍ଡ ନିଜ ନାଁରେ କରିଥିଲେ । ହେଲେ ବୈଭବ ନିଜ ଆଇପିଏଲ କ୍ୟାରିୟରର ତୃତୀୟ ମ୍ୟାଚରେ ହିଁ ୟୁସୁଫଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ଏଥିସହ ଭାରତୀୟ କ୍ରିକେଟର ଭାବେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ଏହି ବାମହାତୀ ଯୁବ ବ୍ୟାଟର । ନିଜର ୧୦୧ ରନର ଇନିଂସରେ ସେ ୧୧ ଛକା ମାରିଛନ୍ତି, ଯାହା ଏ ପର୍ଯ୍ୟନ୍ତ କୌଣସି ଭାରତୀୟ ଖେଳାଳି ନାହାନ୍ତି । ସବୁଠୁ ବଡ ରେକର୍ଡ ହେଉଛି ଟି-୨୦ ଇତିହାସରେ ଶତକ ହାସଲ କରିବାରେ ସେ ସବୁଠୁ ସର୍ବକନିଷ୍ଠ ଖେଳାଳି । ମାତ୍ର ୧୪ ବର୍ଷ ୩୨ ଦିନରେ ସେ ଏହି କୀର୍ତ୍ତିମାନ ରଚିଛନ୍ତି । ବୈଭବ ୩୮ ବଲରେ ୭ ଚୌକା ଓ ୧୧ ଛକା ସହ ୧୦୧ ରନର ଇନିଂସ ଖେଳିଛନ୍ତି ।