ନୂଆଦିଲ୍ଲୀ: ପହଲଗାମରେ ଆତଙ୍କୀ ହମଲା ପରେ ଭାରତର କଠୋର ପଦକ୍ଷେପ ଏବଂ କଡା ଆଭିମୁଖ୍ୟ ଦେଖି ଭୟରେ ପାକିସ୍ତାନ । ସ୍ଥିତି ଏମିତି ଯେ, ପାକ୍ ପ୍ରତିରକ୍ଷା ମନ୍ତ୍ରୀ କହୁଛନ୍ତି ଯେ, ଭାରତ ପକ୍ଷରୁ କୌଣସି ବି ସମୟରେ ହମଲା ହୋଇପାରେ । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସରକାର ନିଜ ମନ୍ତ୍ରୀମାନଙ୍କୁ ଅନାବଶ୍ୟକ ବୟାନ ଦେବାକୁ ମନା କରିଛନ୍ତି । ନିକଟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଓ ଉପ ପ୍ରଧାନମନ୍ତ୍ରୀ ଇଶାକ ଡାର ସମେତ ଅନେକ ନେତା ଉତ୍ତେଜନାମୂଳକ ଟିପ୍ପଣୀ କରିଥିଲେ ।
ସିଏନଏନ ନ୍ୟୁଜ ୧୮ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ନିଜ ମନ୍ତ୍ରୀଙ୍କୁ ଅସଭ୍ୟ ବୟାନରୁ ନିବୃତ୍ତ ରହିବାକୁ କହିଛନ୍ତି । ଅସଭ୍ୟ ବୟାନ ଦେଇ ମାହୋଲକୁ ଆହୁରି ତିକ୍ତ କରିବାକକୁ ଚାହୁଁନି ପାକିସ୍ତାନ । ସରକାରକୁ ଏହି ଚିନ୍ତା ଘାରିଛି ଯେ, ପୂର୍ବରୁ ଆର୍ଥିକ ସଙ୍କଟ ଦେଇ ସଂଘର୍ଷ କରୁଥିବା ଦେଶ ପାଇଁ ଏବେ ସ୍ଥିତି ବିଗାଡିବା ପାକିସ୍ତାନ ପାଇଁ ମଙ୍ଗଳ ନୁହେଁ ।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ପାକିସ୍ତାନ ଏୟାର ଷ୍ଟ୍ରାଇକର ସମ୍ଭାବ୍ୟ ବିପଦର ସୂଚନା ପାଇଁ ସିୟାଲକୋଟ ସେକ୍ଟରରେ ରାଡାର ସିଷ୍ଟମକୁ ଆକ୍ଟିଭ ମୋଡରେ ରଖିଛି । ଏହା ବାଦ୍ ପାକିସ୍ତାନ ସେନା ଫିରୋଜପୁର ସେକ୍ଟରରେ ନିଜର ଗତିବିଧି ବଢାଇ ଦେଇଛି । ନିକଟରେ ପାକିସ୍ତାନ ସେନା ସୀମାଠୁ ମାତ୍ର ୫୮ କିମି ଦୂର ସ୍ଥିତ ଛୋଟ କ୍ୟାଣ୍ଟରେ ଟିପିଏସ-୭୭ ରାଡାରକୁ ମୁତୟନ କରିଛି । ଟିପିଏସ-୭୭ ମଲଟି ରୋଲ ରାଡାର ଏୟାର ଟ୍ରାଫିକ ଉପରେ ନଜର ରଖିବା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ କାଶ୍ମୀରର ପହଲଗାମରେ ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଏହି ହମଲା ପରେ ଭାରତୀୟ ସରକାର ପାକିସ୍ତାନ ବିରୋଧରେ ଅନେକ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ସହ ଅନେକ କଠୋର ପଦକ୍ଷେପ ନିଆଯାଇଛି । ଏଥିରେ ପାକିସ୍ତାନ ଚିହିଁକି ଉଠିଛି । ବଦଳରେ ପାକିସ୍ତାନ ନିଜ ସୀମାରେ ସେନାକୁ ଆଲର୍ଟ କରିବା ସହ ଅନେକ ପଦକ୍ଷେପ ଗ୍ରହଣ କରିଛି ।