ନୂଆଦିଲ୍ଲୀ: ଦେଶର ଜାତି ଜନଗଣନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ମୂଳ ଜନଗଣନାରେ ଜାତି ଜନଗଣନାକୁ ସାମିଲ କରିବାକୁ ମୋଦୀ ସରକାର ଘୋଷଣା କରିଛନ୍ତି । ବୁଧବାର ରାଜନୈତିକ ବିଷୟରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଜାତିଗତ ଜନଗଣନାକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି । କଂଗ୍ରେସ ସରକାର ସବୁବେଳେ ଜାତି ଜନଗଣନାକୁ ବିରୋଧ କରି ଆସିଛି । ସ୍ୱାଧୀନତା ପରଠାରୁ ଜନଗଣନାରେ ଜାତି ଜନଗଣନା କରି ନାହାଁନ୍ତି । ୨୦୧୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଲୋକସଭାରେ ଆଶ୍ୱାସନା ଦେଇଥିଲେ ଯେ ଜାତି ଜନଗଣନା ଉପରେ ଆଲୋଚନା କରାଯିବ । ଏକ ମନ୍ତ୍ରୀମଣ୍ଡଳ ସ୍ତରୀୟ କମିଟି ଗଠନ କରିବା ପରେ ମଧ୍ୟ କଂଗ୍ରେସ କେବଳ ଏସଇସିସି ନାମରେ ଏକ ସର୍ଭେ କରିବା ଉଚିତ୍ ଭାବିଥିଲା । କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ସବୁବେଳେ ଜାତି ଜନଗଣନାକୁ କେବଳ ନିଜର ରାଜନୈତିକ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ସମ୍ବିଧାନର ଅନୁଚ୍ଛେଦ ୨୪୬ରେ କେନ୍ଦ୍ରୀୟ ସୂଚୀ କ୍ରମିକ ନଂ ୬୯ରେ ଜାତି ଜନଗଣନା ଉପରେ ଲିଖିତ ଅଛି ଓ ଏହା କେବଳ କେନ୍ଦ୍ର ବିଷୟ । କିନ୍ତୁ ଏହା ପରେ କିଛି ରାଜ୍ୟ ସୂଚାରୁ ରୂପେ ସମ୍ପନ୍ନ କରିଥିବାବେଲେ କିଛି ରାଜ୍ୟ ବେଆଇନ ଭାବରେ ଜାତି ଜନଗଣନା କରିଛନ୍ତି । ଏହା ଦ୍ୱାରା ସମାଜରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ।
ଆଜି ରାଜନୈତିକ ବିଷୟ ଆଧାରିତ କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ସାମାଜିକ ସ୍ଥିତି ଯେପରି ରାଜନୈତିକ ଚାପରେ ନ ଆସେ ତାହାକୁ ଦୃଷ୍ଟିରେ ରଖି ଜାତି ଗଣନାକୁ ମୂଳ ଜନଗଣନାରେ ସାମିଲ କରାଯିବ । ଏହା ଦ୍ୱାରା ସମାଜ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ମଜବୁତ ହେବ ଏବଂ ଦେଶର ଅଭିବୃଦ୍ଧି ହେବ ।
ବର୍ତ୍ତମାନ ସରକାର ଦେଶ ଓ ସମାଜର ହିତ ଓ ମୂଲ୍ୟ ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ଦର୍ଶାଉଛି । ଏହା ପୂର୍ବରୁ ମଧ୍ୟ ଯେତେବେଳେ ଗରିବ ଶ୍ରେଣୀ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା ସେତେବେଳେ ମଧ୍ୟ ସମାଜରେ ବିଶୃଙ୍ଖଲା ଉତ୍ପନ୍ନ ହୋଇ ନ ଥିଲା ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।