ଭୁବନେଶ୍ୱର: ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି ରାଜ୍ୟ ବିଜେପି । ଭକ୍ତ ଦାସ କହିଛନ୍ତି ନିର୍ବାଚନୀ ସମୟରେ କାହିଁକି ଆତଙ୍କବାଦୀ ଆକ୍ରମଣ ହେଉଛି । ନିର୍ବାଚନକୁ ଆଖି ଆଗରେ ରଖି ଆତଙ୍କବାଦୀ ଆକ୍ରମଣ କରାଯାଇଛି । ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ।
ପହଲଗାମ ଆକ୍ରମଣ କେଉଁ ଧର୍ମ ଆଧାରରେ ହୋଇଥିଲା ତାହା ସମସ୍ତେ ଜାଣିଛନ୍ତି । କିନ୍ତୁ ଭକ୍ତ ଦାସ କହୁଛନ୍ତି ଆତଙ୍କବାଦୀଙ୍କ ଧର୍ମ ନାହିଁ । ଆତଙ୍କବାଦୀଙ୍କ ମୂଳ ଉତ୍ସକୁ ବଞ୍ଚାଇବା ପାଇଁ ସେ ଏଭଳି କହିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର । ଯେଉଁ କଥା ପାକିସ୍ତାନରେ କୁହାଯାଉଛି, ସେହି କଥା ଭକ୍ତ ଦାସ କହିଛନ୍ତି । ଏହା ସହିତ ଶ୍ରୀ ବିଶ୍ୱାଳ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ କରିଛନ୍ତି । ୧୯୮୪ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରିଥିବା ଭିଣ୍ଡରୱାଲକୁ କଂଗ୍ରେସ ଦଳ ସୃଷ୍ଟି କରିଥିଲା । ୧୯୮୫ ବଦଳରେ କଂଗ୍ରେସ ୧୯୮୪ ନିର୍ବାଚନ କରାଇଥିଲା । ନିର୍ବାଚନ ଜିତି ସରକାର କଲା କଂଗ୍ରେସ, ଆମେ ସେତେବେଳେ ପ୍ରଶ୍ନ କରି ନ ଥିଲୁ । ୧୯୯୧ରେ ନିର୍ବାଚନ ପ୍ରଚାର ସମୟରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଗଲା । କଂଗ୍ରେସ ନିର୍ବାଚନ ଜିତି ସରକାର କରିଥିଲା । ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିଥିବା ଏଲଟିଟି ଦଳକୁ ଫଣ୍ଡ୍ ଯୋଗାଉଥିଲା କଂଗ୍ରେସ । ସେହିପରି ମହାତ୍ମା ଗାନ୍ଧୀଙ୍କୁ ସୁରକ୍ଷା ଦେଇ ପାରି ନ ଥିଲେ । ଯେତିକି ପୋଲିସ କଂଗ୍ରେସ ନେତାଙ୍କୁ ଜଗୁଥିଲେ ସେତିକିର ୧୦ ପ୍ରତିଶତ ପୋଲିସ ଗାନ୍ଧୀଙ୍କୁ ଜଗିଥିଲେ, ତାଙ୍କର ହତ୍ୟା ହୋଇ ନ ଥାଆନ୍ତା । କଂଗ୍ରେସର ପ୍ରଧାନମନ୍ତ୍ରୀଙ୍କୁ (ଲାଲବାହାଦୂର ଶାସ୍ତ୍ରୀ) ବିଦେଶରେ ହତ୍ୟା କରାଯାଇଥିଲା । କିନ୍ତୁ ଆମେ ଦିନେ ପ୍ରଶ୍ନ କରି ନାହୁଁ । ଏହା ବିଜେପିର ସଂସ୍କାର ନୁହେଁ । କଂଗ୍ରେସ ମୁଖର ରାଜନେତା ଭକ୍ତ ଦାସ ଏହାର ଉତ୍ତର ଦେବେ ବୋଲି ବିଜେପି ମୁଖପାତ୍ର ଆଶାବ୍ୟକ୍ତ କରିଛନ୍ତି ।
ତେଣୁ ଭକ୍ତ ଦାସ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ । ସେ ନିଜର ବକ୍ତବ୍ୟ ପ୍ରତ୍ୟାହାର କରନ୍ତୁ, ନ ଚେତ୍ ଓଡ଼ିଶାବାସୀ କ୍ଷମା କରିବେ ନାହିଁ । ପହଲଗାମ ଆକ୍ରମଣ ପୀଡ଼ିତଙ୍କ ପରିବାର କଟା ଘା’ରେ ଭକ୍ତ ଦାସ ଚୂନ ଲଗାଉଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ।